Categories: ମେଟ୍ରୋ

ଯୁବତୀଙ୍କୁ ପୁରୁଷ ପିସିଆର କର୍ମଚାରୀ ଉଠାଇବାରୁ ଉତ୍ତେଜନା

ଭୁବନେଶ୍ୱର,୬।୩(ବ୍ୟୁରୋ): ନୟାପଲ୍ଲୀ ଥାନା ଜୟଦେହ ବିହାର ଛକ ନିକଟରେ ଗୁରୁବାର ଜଣେ ଯୁବତୀ ରାସ୍ତାରେ ଗଡୁଥିବା ଦେଖିବାକୁ ମିଳିଥିଲା। ଫଳରେ ଏକାଧିକ ଲୋକ ଏକତ୍ରିତ ହୋଇଯିବାରୁ ଟ୍ରାଫିକ ସମସ୍ୟା ଦେଖାଦେଇଥିଲା। ଖବରପାଇ ନୟାପଲ୍ଲୀ ଥାନା ପିସିଆର ଭ୍ୟାନ୍‌ ପହଞ୍ଚି ତାଙ୍କୁ ଉଦ୍ଧାର କରି ଭ୍ୟାନ୍‌ରେ ବସାଇଥିଲା। ହେଲେ ବିନା ମହିଳା ପୋଲିସରେ କିଭଳି ପୁରୁଷ ପୋଲିସ ଉଠାଇ ନେଲା ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ଏହି ସମୟରେ କେତେଜଣ ଯୁବକ ମୋବାଇଲ ଫୋନରେ ଭିଡିଓ ସୁଟିଂ କରୁଥିବା ବେଳେ ପିସିଆର କର୍ମଚାରୀ ଯୁବତୀଙ୍କୁ ମାଡ ମାରିଥିବା ଅଭିଯୋଗ ହୋଇଛି। ଏହାକୁ ନେଇ କିଛି ସମୟ ପାଇଁ ସେଠାରେ ଉତ୍ତେଜନା ଦେଖାଦେଇଥିଲା। ଅନ୍ୟ ଏକ ପିସିଆର ଭ୍ୟାନ୍‌ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଶୁଝା କରିବା ପରେ ଯୁବତୀଙ୍କୁ ଉଦ୍ଧାର କରି ଥାନାକୁ ନେଇଥିଲେ। ଏହାପରେ ଯୁବତୀଙ୍କ ପରିବାର ଲୋକଙ୍କୁ ପୋଲିସ ଜଣାଇବା ପରେ ତାଙ୍କର ଭାଇ ଆସି ଯୁବତୀଙ୍କୁ ନେଇଥିବା ଜଣାପଡିଛି। ଅନ୍ୟପକ୍ଷରେ ଏ ନେଇ ନୟାପଲୀ ଥାନା ଅଧିକାରୀ ଅରୁଣ କୁମାର ସ୍ବାଇଁ କୁହନ୍ତି, ଯୁବତୀଙ୍କ ଘର ଯାଜପୁର ହୋଇଥିବା ବେଳେ ସେ ଭୁବନେଶ୍ୱର ଆସିଥିଲେ। ଜୟଦେବ ବିହାର ଛକ ନିକଟରେ ତାଙ୍କୁ ଫିଡ୍‌ସ ମାରିଥିଲା। ମହିଳା ପୋଲିସକୁ ଅପେକ୍ଷା କରିବା ବଦଳରେ ପିସିଆର ଭ୍ୟାନରେ ଥିବା ପୁରୁଷ କର୍ମଚାରୀ ତାଙ୍କୁ ଉଦ୍ଧାର କରି ହସ୍ପିଟାଲ ନେବାକୁ ଚେଷ୍ଟା କରିଥିଲେ, ଏହାବ୍ୟତୀତ ଅନ୍ୟକିଛି ଘଟଣା ନାହିଁ।

Share