ଯୁବତୀଙ୍କୁ ବଳାତ୍କାର ଅଭିଯୋଗ: ଯୁବକ ଗିରଫ

ନୂଆଗାଁ, ୨୩।୨(ଡି.ଏନ୍‌.ଏ.)- ସୁନ୍ଦରଗଡ଼ ଜିଲା ହାତୀବାରି ଥାନା ଅନ୍ତର୍ଗତ ଝାରବେଡ଼ା ଅଞ୍ଚଳରେ ଜଣେ ଯୁବତୀଙ୍କୁ ବଳାତ୍କାର କରାଯାଇଛି। ଶନିବାର ହାତୀବାରି ଥାନା ପୋଲିସ ଅଭିଯୁକ୍ତ ଯୁବକ ଗୋପୁର ଗ୍ରାମର ବିଜୟ ଓରାମ(୨୩)ଙ୍କୁ ଗିରଫ କରିଛି। ଉଭୟଙ୍କ ଡାକ୍ତରୀ ମାଇନା ପରେ ଅଭିଯୁକ୍ତ ଯୁବକଙ୍କୁ କୋର୍ଟ ଚାଲାଣ କରାଯାଇଛି। ଗତ ୪ ତାରିଖ ଝାରବେଡ଼ାରେ ଏକ ବିବାହ ଉତ୍ସବ ଥିଲା। ସେହି ବିବାହ ଉତ୍ସବକୁ ଯୁବତୀ ନିଜ ମା’ ବାପାଙ୍କ ସହ ଯାଇଥିଲେ। ସେହି ବିବାହ ଉତ୍ସବକୁ ନିକଟସ୍ଥ ଗୋପର ଗ୍ରାମର ବିଜୟ ଓରାମ ଯାଇଥିଲେ। ସେଠାରେ ଯୁବତୀଙ୍କୁ ଏକୁଟିଆ ଦେଖି ବାହାରକୁ ଡାକିଥିଲେ। ଯୁବତୀ ବାହାରକୁ ଯିବା ପରେ ତାଙ୍କୁ ନିଛାଟିଆ ସ୍ଥାନକୁ ନେଇ ବଳାତ୍କାର କରିଥିଲେ। ରାତି ଗୋଟାଏରେ ଆଣି ପୁଣି ବିବାହ ଉତ୍ସବରେ ଛାଡ଼ିଥିଲେ। ଝିଅର ସାମାନ୍ୟ ମାନସିକ ବିକୃତି ଥିବାରୁ ତାଙ୍କୁ ନ ପାଇ ମା’ବାପା ସହ ଅନ୍ୟମାନେ ଖୋଜାଖୋଜି କରୁଥିଲେ। ବିଜୟ ଯୁବତୀଙ୍କୁ ଛାଡ଼ି ଦେଇ ପଳାଇ ଯିବା ଦେଖି ଲୋକେ ତାଙ୍କୁ ଅଟକାଇ ପଚରାଉଚରା କରିଥିଲେ। ଯୁବତୀ ମଧ୍ୟ ସବୁକଥା ନିଜ ମା’ଙ୍କୁ କହିଥିଲା। ପରେ ଗାଁରେ ସମାଜର ଲୋକଙ୍କ ବୈଠକ ବସି ସମାଧାନ ପାଇଁ ଉଦ୍ୟମ ହୋଇଥିଲା। ମାତ୍ର ବୈଠକ ନିଷ୍ପତ୍ତି ନ ମାନି ସମୟ ଗଡ଼ାଇ ଚାଲିବାରୁ ଶୁକ୍ରବାର ସନ୍ଧ୍ୟାରେ ଯୁବତୀଙ୍କ ମା’ ଥାନାରେ ଅଭିଯୋଗ କରିଥିଲେ।

Share