ଯୁବତୀଙ୍କୁ ମଧ୍ୟପ୍ରଦେଶରେ ବିକ୍ରି ଅଭିଯୋଗ

ଅନୁଗୋଳ ଅଫିସ୍‌, ୧୭।୩

ଅନୁଗୋଳ ଜିଲା କିଶୋରନଗର ଥାନା ଅଞ୍ଚଳର ଜନୈକା ଯୁବତୀଙ୍କୁ ଗଁାର ଜଣେ ଲୋକ ପ୍ରତିନିଧି ମଧ୍ୟପ୍ରଦେଶ ଚାଲାଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ କିଶୋରନଗର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନ ଥିବାରୁ ଯୁବତୀଙ୍କ ପରିବାର ଅନୁଗୋଳ ଏସ୍‌ପିଙ୍କୁ ଅଭିଯୋଗ କରିଛନ୍ତି। ଅଭିଯୋଗ ମୁତାବକ, କିଶୋରନଗର ଅଞ୍ଚଳରୁ ବାହାର ରାଜ୍ୟକୁ ଯୁବତୀ ଓ ମହିଳାଙ୍କୁ ଚାଲାଣ କରାଯାଉଛି। ଗତ ୭ ତାରିଖରେ ସମ୍ପୃକ୍ତା ଯୁବତୀଙ୍କ ମା’ ବାପା ଘରେ ନ ଥିବାବେଳେ ସ୍ଥାନୀୟ ଲୋକପ୍ରତିନିଧି ଓ ତାଙ୍କର କିଛି ମହିଳା ସହଯୋଗୀ ଯୁବତୀଙ୍କୁ ମଧ୍ୟପ୍ରଦେଶରେ ବିକ୍ରି କରି ଦେଇଛନ୍ତି। ଏ ନେଇ କିଶୋରନଗର ଥାନାରେ ଲିଖିତ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସ କର୍ଣ୍ଣପାତ କରୁ ନ ଥିବା ଏସ୍‌ପିଙ୍କ ନିକଟରେ ଅଭିଯୋଗ ହୋଇଛି। ସେହି ଅଞ୍ଚଳର ଅନ୍ୟ ଜଣେ ଯୁବତୀ, ଜଣେ ମହିଳାଙ୍କ ସମେତ ମୋଟ ୫ ଜଣଙ୍କୁ ମଧ୍ୟ ବାହାରକୁ ଚାଲାଣ କରାଯାଇଥିବା ସମ୍ପୃକ୍ତ ଅଞ୍ଚଳର ମହିଳାମାନେ ଏସ୍‌ପିଙ୍କୁ ଜଣାଇଛନ୍ତି। ଘଟଣାକୁ ଗୁରୁତ୍ୱର ସହ ନେଇ ତଦନ୍ତ କରିବା ସହ ଯୁବତୀମାନଙ୍କୁ ଫେରାଇ ଆଣିବାକୁ ଅଞ୍ଚଳର ମହିଳାମାନେ ଏସ୍‌ପିଙ୍କୁ ନିବେଦନ କରିଛନ୍ତି। ଘଟଣାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ ବୋଲି ଏସ୍‌ପି କହିଛନ୍ତି।

Share