ଯୁବତୀଙ୍କ ଅଶ୍ଳିଳ ଭିଡିଓ କରି ବ୍ଲାକ୍‌ମେଲିଂ: ଧରାପଡ଼ିଲେ ହୋଟେଲର ଦୁଇ ଯୁବକ

ଭୁବନେଶ୍ୱର,୨୯।୧୧(ବ୍ୟୁରୋ): ନୟାପଲ୍ଲୀ ଥାନା ଏନ୍‌-୧ରେ ଥିବା ଏକ ହୋଟେଲରେ ଏକ ପ୍ରେମୀଯୁଗଳଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ହୋଟେଲ କର୍ମଚାରୀ ଭାଇରାଲ କରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏପରିକି ହୋଟେଲ କର୍ମଚାରୀ ୫୦ହଜାର ଟଙ୍କା ମାଗୁଥିବା ଥାନାରେ ଯୁବତୀ ଅଭିଯୋଗ କରିଛନ୍ତି। ପୋଲିସ ଯୁବତୀଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରି ହୋଟେଲର ଉକ୍ତ ଦୁଇ କର୍ମଚାରୀଙ୍କୁ ଗିରଫ କରି ପଚରାଉଚରା କରୁଛି। ତେବେ ଯୁବକଦ୍ୱୟଙ୍କୁ ଶନିବାର କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡ଼ିଛି। ଅପରପକ୍ଷେ ପୋଲିସ ସିଆର୍‌ପିସି-୧୬୧ ଆଧାରରେ ଯୁବତୀଙ୍କ ବୟାନ ରେକର୍ଡ କରିଛି।

ଯୁବତୀଙ୍କ ଅଭିଯୋଗ ଅନୁଯାୟୀ, ଗତ ୧୫ ତାରିଖରେ ଯୁବତୀଜଣଙ୍କ ଜନ୍ମଦିନ ପାଳନ କରିବା ଲାଗି ଉକ୍ତ ହୋଟେଲକୁ ଯାଇଥିଲେ। ବିଳମ୍ବ ହୋଇଯାଇଥିବାରୁ ପୁରୁଷ ବନ୍ଧୁ ଓ ସେ ଉକ୍ତ ହୋଟେଲରେ ରହିଯାଇଥିଲେ। ହେଲେ ପୁରୁଷବନ୍ଧୁଙ୍କ ସହ ଅନ୍ତରଙ୍ଗ ସମୟର କିଛି ଭିଡିଓ ହିଡେନ୍‌ କ୍ୟାମେରା ଲଗାଇ ଉକ୍ତ କର୍ମଚାରୀମାନେ ଉତ୍ତୋଳନ କରିଥିଲେ। ଏହାର କିଛିଦିନ ପରେ ହେଟେଲର ଜଣେ କର୍ମଚାରୀ ଫୋନ କରି ଯୁବତୀଙ୍କୁ ଭିଡିଓ ଭାଇରାଲ କରିବାକୁ ଧମକ ଦେଇଥିଲେ। ଏପରି ନ କରିବା ଲାଗି ୫୦ହଜାର ମାଗିଥିଲେ। ଏପରିକି ସେମାନଙ୍କର ଏଭଳି ବାରମ୍ବାର ଧମକ ପରେ ଯୁବତୀ ଆତ୍ମହତ୍ୟା ଉଦ୍ୟମ ପାଇଁ ଚେଷ୍ଟା କରିଥିବା କହିଛନ୍ତି। ଗୁରୁବାର ରାତିରେ ସେ କର୍ମଚାରୀଙ୍କ କହିବାନୁଯାୟୀ କିଛିଟଙ୍କା ଆଣି ଦେବାକୁ ଆସିଥିଲେ। ସିଆର୍‌ପି ଛକରେ ବସି କାନ୍ଦୁଥିବା ବେଳେ ସ୍ଥାନୀୟ ଅଞ୍ଚଳର ଦୁଇ ଯୁବକ ଦେଖି ଉଦ୍ଧାର କରି ନୟାପଲ୍ଲୀ ଥାନାକୁ ଫୋନ କରି ଜଣାଇଥିଲେ। ଖବର ପାଇ ପୋଲିସ ଉକ୍ତ ହୋଟେଲରେ ଚଢ଼ାଉ କରି ସିସିଟିଭି ଫୁଟେଜ୍‌ ଯାଞ୍ଚ କରିଥିଲେ। ପରେ କର୍ମଚାରୀଦ୍ୱୟଙ୍କୁ ଗିରଫ କରି ସେମାନେ ପ୍ରକୃତରେ ଭିଡିଓ ଯାଞ୍ଚ କରିଛନ୍ତି କି ନାହିଁ ତାହା ଯାଞ୍ଚ କରୁଛି।

Share