ଯୁବତୀଙ୍କ ବେକରୁ ଚେନ୍‌ ଝାମ୍ପି ଫେରାର ହେଉଥିବା ବେଳେ ଦୁର୍ଘଟଣା: ୨ ଲୁଟେରା ଗୁରୁତର, ଭଦ୍ରକ ଚିକିତ୍ସାଳୟରେ ଭର୍ତ୍ତି

ଭଣ୍ଡାରିପୋଖରୀ,୧୨।୭(ଡି.ଏନ୍‌.ଏ.): ସ୍କୁଟିରେ ଯାଉଥିବା ଯୁବତୀଙ୍କ ବେକରୁ ଚେନ୍‌ ଝାମ୍ପି ନେଇ ଫେରାର ହେବାକୁ ଚେଷ୍ଟା କରିବା ବେଳେ ଦୁର୍ଘଟଣାର ଶିକାର ହେଲେ ଦୁଇ ଲୁଟେରା। ଏଭଳି ଏକ ଘଟଣା ଘଟିଛି ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ୧୬ନଂ ଜାତୀୟ ରାଜପଥର କୁଶଗଡ଼ିଆ ଛକ ନିକଟରେ। ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ୧୨ଟା ସମୟରେ ଦୁଇଜଣ ଲୁଟେରା ଏକ ନମ୍ବର ବିହୀନ ପଲସର୍‌ରେ ଜଣେ ଯୁବତୀଙ୍କ ପିଛା କରିଥିଲେ। ଯୁବତୀଜଣଙ୍କ ସ୍କୁଟିରେ ଯାଉଥିବା ବେଳେ ଲୁଟେରାମାନେ ପଛପଟ ବେକରୁ ଚେନ୍‌ ଛିଡ଼ାଇ ନେଇ ଦ୍ରୁତ ଗତିରେ ଭଣ୍ଡାରିପୋଖରୀ ଆଡ଼କୁ ପଳାଇ ଯାଇଥିଲେ। ଯୁବତୀଙ୍କ ଚିତ୍କାର ଶୁଣି ଏକ ଡଷ୍ଟର କାର୍‌ ଲୁଟେରାଙ୍କ ପିଛା କରିଥିଲା। ଲୁଟେରାମାନେ ଦ୍ରୁତ ଗତିରେ ଆସିବା ବେଳେ ଭଣ୍ଡାରିପୋଖରୀ ତହସିଲ ଅଫିସ ନିକଟରେ ଏକ ପଥରସହ ସେମାନଙ୍କର ଧକ୍କା ହୋଇଥିଲା। ଏଥିରେ ଦୁଇ ଲୁଟେରା ଗୁରୁତର ଆହତ ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ଭଣ୍ଡାରିପୋଖରୀ ଓ ପରେ ଭଦ୍ରକ ଚିକିତ୍ସା ପାଇଁ ପଠାଯାଇଛି। ଭଣ୍ଡାରିପୋଖରୀ ପୋଲିସ ଭଦ୍ରକ ଡାକ୍ତରଖାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଯୁବତୀଙ୍କ ପରିଚୟ ମିଳି ନ ଥିବା ବେଳେ ଲୁଟେରାଙ୍କ ଘର ସୋର ଏବଂ ବରହମ୍‌ପୁର ଅଞ୍ଚଳରେ ବୋଲି ଜଣାପଡ଼ିଛି। ପୋଲିସ ବାଇକ୍‌କୁ ଜବତ କରି ଥାନାରେ ରଖିଥିବା ସୂଚନା ମିଳିଛି।

Share