ପବିତ୍ରମୋହନ ପଟ୍ଟନାୟକ, ଡ. ଅମିୟ କୁମାର ମହାପାତ୍ର
ରାଷ୍ଟ୍ର ନିର୍ମାଣରେ ଯୁବପିଢ଼ିର ଏକ ନିର୍ଣ୍ଣାୟକ ଭୂମିକା ରହିଛି। ଯୁବପିଢ଼ି ଦେଶର ପୁଞ୍ଜି ଓ ଦେଶର ଗାୈରବ। ତାଙ୍କର ବହୁମୁଖୀ ପ୍ରତିଭା ତଥା ସକାରାତ୍ମକ ବିଚାରଧାରା ଦେଶର ମାନ ଓ ଭବିଷ୍ୟତ ନିର୍ଣ୍ଣୟ କରିଥାଏ। ବିଶ୍ୱର ଦ୍ୱିତୀୟ ଜନବହୁଳ ଦେଶ ଭାରତରେ କର୍ମଠ ନାଗରିକମାନଙ୍କର ହାରାହାରି ବୟସ ୨୮ ବର୍ଷ, ଯାହା ଅନ୍ୟ ବିକଶିତ ଏବଂ ବିକାଶଶୀଳ ଦେଶ ତୁଳନାରେ କମ୍, ତେଣୁ ବୟସ୍କ ଲୋକଙ୍କ ଅନୁପାତରେ ଭାରତ ଦୁନିଆର ଯୁବରାଷ୍ଟ୍ର। ଏହି ହାରାହାରି ବୟସ ଚାଇନା ଓ ଆମେରିକାରେ ୩୭ବର୍ଷ ଥିବାବେଳେ, ପଶ୍ଚିମ ୟୁରୋପରେ ୪୫ ବର୍ଷ ଏବଂ ଜାପାନରେ ୪୯ ବର୍ଷ। ଅର୍ଥାତ୍ ଆମ ଦେଶରେ କର୍ମଠ ଜନସଂଖ୍ୟା ଅନ୍ୟ ଦେଶଠାରୁ ଯଥେଷ୍ଟ ଅଧିକ ଏବଂ ତାହା ନିଶ୍ଚିତ ଭାବରେ ଦେଶର ଆୟ ଓ ସାମଗ୍ରିକ ଅଭିବୃଦ୍ଧିରେ ଅଧିକ ସହାୟକ ହେବ। ଜନସାଂଖି୍ୟକ ଲାଭାଂଶରେ (ଡେମୋଗ୍ରାଫିକ୍ ଡିଭିଡେଣ୍ଡ୍) ଯୁବପିଢ଼ିଙ୍କର ବିଶେଷ ଅବଦାନ ଥାଏ, ଯାହା ଉପରେ ଦେଶର ଭବିଷ୍ୟତ ନିର୍ଭରକରେ। ସେମାନଙ୍କର ଅବଦାନ ମୁଖ୍ୟତଃ ରୋଜଗାର ପନ୍ଥା ଏବଂ ଅର୍ଥନୈତିକ ମୌଳିକ ଢାଞ୍ଚା ଉପରେ ନିର୍ଭର କରେ। ଏକବିଂଶ ଶତାବ୍ଦୀ ଭାରତ ପାଇଁ ଉଦ୍ଦିଷ୍ଟ ବୋଲି ଅନ୍ତଃରାଷ୍ଟ୍ରୀୟ ଶ୍ରମସଂଗଠନ (ଆଇଏଲ୍ଓ) ତା’ ରିପୋର୍ଟରେ ପ୍ରକାଶ କରିଛି। ଭାରତର ଶ୍ରମବଳ, ବଜାର ଏବଂ ସାମଗ୍ରିକ ଚାହିଦା ଏବଂ ଜନସାଂଖି୍ୟକ ଲାଭାଂଶ ଇତ୍ୟାଦି ଅର୍ଥନୀତି ଉପରେ ସକାରାତ୍ମକ ପ୍ରଭାବ ପକାଇ ଦେଶକୁ ବିକାଶପଥେ ଆଗେଇ ନେବ। ଭାରତର ୫ ଟ୍ରିଲିୟନ ଡଲାର ଅର୍ଥନୀତିର ସ୍ବପ୍ନକୁ ସାକାର କେବଳ ଯୁବପିଢ଼ି ହଁି କରିପାରିବେ। ଯୁବପିଢ଼ିଙ୍କ ଶିକ୍ଷା, କାର୍ଯ୍ୟନିପୁଣତା, ଏକାଗ୍ରତା, ନିଃସ୍ବାର୍ଥପରତା, ସଚ୍ଚୋଟତା ଓ ଦୃଢମନୋବଳ ଉପରେ ଏହା ନିର୍ଭର କରେ।
ଆଜି କରୋନାଜନିତ ମହାମାରୀ ସମସ୍ତ ବ୍ୟବସ୍ଥା ଓ ଭିତ୍ତିଭୂମିକୁ ଅସ୍ତବ୍ୟସ୍ତ କରିଦେଇଛି। ଦୀର୍ଘ ୫ ମାସ ପରେ ବି କୌଣସି ପ୍ରକାର ନିରାକରଣ ଏବଂ ଆବଶ୍ୟକ ସାଧନର ଅଭାବ ଯୋଗୁ ଏହା ଦେଶର ବିକାଶ ପଥରେ ଏକ ବଡ଼ ପ୍ରତିବନ୍ଧକ ସୃଷ୍ଟି କରିଛି। ଦେଶର ଆର୍ଥିକ, ସାମାଜିକ ଏବଂ ଅନ୍ୟାନ୍ୟ ପ୍ରାସଙ୍ଗିକ କ୍ଷେତ୍ରରେ ଏକ ଭୟାନକ ଅସନ୍ତୁଳନ ସୃଷ୍ଟିହୋଇଛି। ମାନବ ସମାଜ ଏହି ସଂକଟରେ ଘାଣ୍ଟି ହେଉଛି। କରୋନାଜନିତ ଅବସାଦ ଏବେ ବଢ଼ିବାରେ ଲାଗିଲାଣି ଏବଂ ତା’ର କୁପରିଣାମ ସମସ୍ତଙ୍କୁ ଜ୍ଞାତ। ଏହି ସଂକଟ ଯୁବପିଢ଼ିଙ୍କ ମନୋବଳକୁ ଦୁର୍ବଳ କରିଦେଇଛି। ଆଜିର ଯୁବପିଢ଼ି ପାଠପଢ଼ାର ଅନିୟମିତତା ଏବଂ ପରୀକ୍ଷାର ଅନିଶ୍ଚିତତା ପାଇଁ, ଚାକିରି ଛଟେଇର ଡର, ପାଠପଢ଼ା ପରେ ଚାକିରି ନ ପାଇବାର ଡର, ନିଜର ଅସ୍ତିତ୍ୱକୁ ବଞ୍ଚାଇରଖି ନ ପାରିବାର ଡର ଏବଂ ସର୍ବୋପରି ଭବିଷ୍ୟତର ଅନିଶ୍ଚିତତାକୁ ନେଇ ଏକ ଅବସାଦମୟ ଜୀବନଯାପନ କରୁଛନ୍ତିିି। ଏହି ଅବସାଦ ଆମର ଶାରୀରିକ, ମାନସିକ, ଆର୍ଥିକ, ପାରିବାରିକ, ସାମାଜିକ ଓ ଆଧ୍ୟାମତ୍ିକ ଜୀବନ ଏବଂ ବ୍ୟବସ୍ଥାକୁ ପ୍ରଭାବିତ କରେ। ଅବସାଦରେ ରହୁଥିବା ଲୋକ ନିର୍ବଳ ଏବଂ ନିରାଶାରେ, ଶକ୍ତିସାମର୍ଥ୍ୟ ଥାଇ ମଧ୍ୟ ଠିକ୍ଭାବରେ କାମକରି ପାରି ନ ଥାନ୍ତିି। କରୋନା ଏବେ ସମସ୍ତଙ୍କୁ ବିଶେଷକରି ଯୁବପିଢ଼ିଙ୍କୁ ଅବସାଦ ବଳୟକୁ ଠେଲି ଦେଇଛି।
ବର୍ଷ ୨୦୧୮-୧୯ରେ ଭାରତରେ ଉଚ୍ଚଶିକ୍ଷା ପାଇଁ ୩.୭୪ କୋଟି ଛାତ୍ରୀଛାତ୍ର ପଞ୍ଜୀକୃତ ହୋଇଥିଲେ ଏବଂ ୯୧ ଲକ୍ଷ ପାସ୍ କରିଛନ୍ତି। ଇଣ୍ଡିଆ ସ୍କିଲ୍ସ୍ ରିପୋର୍ଟ-୨୦୨୦ ଅନୁସାରେ ପାସ୍ କରିଥିବା ଛାତ୍ରୀଛାତ୍ରଙ୍କ ଭିତରୁ କେବଳ ୪୬ପ୍ରତିଶତ ନିଯୁକ୍ତିଯୋଗ୍ୟ। ଅର୍ଥାତ୍ ଦରକାରି ଜ୍ଞାନ ଏବଂ କାର୍ଯ୍ୟକାୈଶଳ ଅଭାବରୁ ୫୪ପ୍ରତିଶତ ଶିକ୍ଷିତ ଯୁବପିଢ଼ି ନିଯୁକ୍ତି ପାଇବା ପାଇଁ ଅଯୋଗ୍ୟ ବୋଲି ବିବେଚନା କରାଯାଉଛି। ବୋଝ ଉପରେ ନଳିତା ବିଡ଼ା ଭଳି ଏହି କରୋନା ନିଯୁକ୍ତି ଉପରେ ଆହୁରି ପ୍ରତିକୂଳ ପ୍ରଭାବ ପକାଇ ସେମାନଙ୍କ ମନୋବଳକୁ ଦିନକୁ ଦିନ ଦୁର୍ବଳ କରିଦେଉଛି। ପାଠପଢ଼ାରେ ଅନିୟମିତତା, ଅନ୍ଲାଇନ୍ ପାଠପଢ଼ାର ଉପଯୋଗିତା ତାଙ୍କର ମନର ସଂଶୟକୁ ବଢ଼ାଇ ଦେଇଛି। ଅନ୍ଲାଇନ୍ ପାଠପଢ଼ା ଏକ ପାଠପଢ଼ାର ମାଧ୍ୟମ ଓ ତାହା ଏକ ସାମୟିକ ବିକଳ୍ପ। ପରମ୍ପରାଗତ ଶିକ୍ଷାପ୍ରଣାଳୀ ଅଭାବରୁ ଶିକ୍ଷାକ୍ଷେତ୍ରରେ ଯେଉଁ ଅସ୍ଥିରତା ତଥା ଅନିଶ୍ଚିତତା ଦେଖାଦେଇଛି, ତାହା ପଠନରତ ଯୁବବର୍ଗଙ୍କ ପାଇଁ ଏକ ବଡ଼ ଦୁଃଖର କାରଣ। ଅନ୍ତିମବର୍ଷରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କର ମନୋଦଶା ଯେ ଅଙ୍ଗେ ନିଭେଇଛି ସେ ଜାଣିପାରିବ। କେବେ ପରୀକ୍ଷା ହେବ? କେବେ ଡିଗ୍ରୀ ମିଳିବ? ତାଙ୍କ ଯୋଗ୍ୟତା ମୁତାବକ ଚାକିରି ମିଳିବ କି ନାହିଁ? ଦିନକୁ ଦିନ ନିଯୁକ୍ତି ହ୍ରାସ ପାଇବାରେ ଲାଗିଛି ଏବଂ ଯେଉଁମାନଙ୍କୁ ନିଯୁକ୍ତିପତ୍ର ମିଳିଥିଲା, ସେମାନଙ୍କ ନିଯୁକ୍ତିକୁ ବିଳମ୍ବ କରାଯାଉଛି ଅଥବା ବାତିଲ କରାଯାଉଛି। ଏପରି ଅବସ୍ଥା ପ୍ରତିଷ୍ଠିତ ଆଇଆଇଟି ଏବଂ ଆଇଆଇଏମ୍ ଅନୁଷ୍ଠାନରେ ବି ଦେଖାଦେଇଛି, ତେଣୁ ସାଧାରଣ କଲେଜ ଓ ବିଶ୍ୱବିଦ୍ୟାଳୟରୁ ପାଶ୍ କରିଥିବା ଯୁବପିଢ଼ିଙ୍କ ଦୁଃଖ କହିଲେ ନ ସରେ। ଶିକ୍ଷାଋଣ ନେଇ ନିଜ ପିଲାଙ୍କୁ ପଢାଉଥିବା ମାତାପିତାଙ୍କର ଦୁଃଖ ଆହୁରି ଅଧିକ। ନା ଚାକିରି ଅଛି ନା ଚାକିରି ପାଇବାର ଆଶ୍ୱାସନା? ଯେଉଁ ଯୁବପିଢ଼ି କାର୍ଯ୍ୟରତ ଅଛନ୍ତି, ତାଙ୍କ କଷ୍ଟ ନ କହିଲେ ଭଲ। କିଛି ଲୋକଙ୍କୁ ଖର୍ଚ୍ଚକାଟ ନାମରେ ଛଟେଇ କରାଗଲାଣି ଅଥବା ଦରମା କାଟ ହେଲାଣି। ସେତିକି ନୁହେଁ, ଦରମା କଟିଲା ପରେ ବି ଠିକ୍ ସମୟରେ ତାହା ମିଳୁନାହିଁ। ଯେଉଁମାନେ ଘରେ ବସି ଅନ୍ଲାଇନରେ କାମ କରୁଛନ୍ତିି, ତାଙ୍କ ଦୁଃଖ ବଢ଼ିବାରେ ଲାଗିଛି। ଅପରପକ୍ଷରେ ବିଭିନ୍ନ ନିଯୁକ୍ତିଭିତ୍ତିକ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି କରୁଥିବା ଯୁବପିଢ଼ି ଘରେ ରହି ଏବେ ତାହା ଠିକ୍ଭାବରେ କରିପାରୁନାହାନ୍ତିି। କୋଚିଙ୍ଗ୍ କ୍ଲାସ୍ ଏବଂ ସାଙ୍ଗହୋଇ ପାଠ ପଢ଼ିପାରୁ ନ ଥିବାରୁ ମନରେ ସଂଶୟ ସୃଷ୍ଟି ହୋଇଛ। ପ୍ରସ୍ତୁତି ଠିକ୍ ନ ହେବା ଦ୍ୱାରା ତାଙ୍କର ଭବିଷ୍ୟତକୁ ନେଇ ଅନିଶ୍ଚିତତା ଏବଂ ଏକ ଅଭାବବୋଧ ସୃଷ୍ଟିହୋଇଛି।
ଘରେ ରହି ପାଠପଢ଼ିବା ଏବଂ ଘରେ ବସି ଅଫିସ୍ କାମ କରିବା ଯୁବପିଢ଼ିଙ୍କ ପାଇଁ ଏକ ମାନସିକ ଅସ୍ଥିରତା ସୃଷ୍ଟିକରିଛି। ଭୂତାଣୁଜନିତ ସଂକ୍ରମଣ ଡରରେ ବହୁତ ଦିନ ଘର ଭିତରେ ବନ୍ଦ ରହିବା ଦ୍ୱାରା ମାନସିକ ବିକାର ବଢ଼ୁଛି। ଯୁବପିଢ଼ି ବୁଲାବୁଲି, ସାଙ୍ଗସାଥୀ, ନାଚଗୀତ ଏବଂ ଖେଳକୁଦରେ ବ୍ୟସ୍ତ ରହି ମାନସିକ ସନ୍ତୁଳନ କରିଥାନ୍ତି। ହେଲେ କରୋନା ଯୋଗୁ ଏଥିରେ ବାଧା ସୃଷ୍ଟି ହୋଇଛି, ଯାହା ଯୁବପିଢ଼ିଙ୍କ ଅବସାଦ ବଢ଼ାଉଛି। ଘଟୁଥିବା ଘଟଣା ଓ ଦୁର୍ଘଟଣା, ଆମତ୍ହତ୍ୟା, ଘରେ ଝଗଡ଼ା ଭଳି ଖବର ମଧ୍ୟ ମାନସିକ ଅବସାଦ ବଢ଼ାଇବା ସଙ୍ଗେ ସଙ୍ଗେ ମନରେ ଅସ୍ଥିରତା ବଢ଼ାଉଛି। ଚଳଚଞ୍ଚଳ ଯୁବପିଢ଼ି ଆଜି ବନ୍ଦୀ ହୋଇ ଅନିଶ୍ଚିତ ଭବିଷ୍ୟତକୁ ନେଇ ଅବସାଦଗ୍ରସ୍ତ।
ଏହିପରି ଏକ ସଂକଟ ସମୟରେ ଅଭିଜ୍ଞ ଜାମ୍ବବାନଙ୍କ ପରି ବହୁ ଉତ୍ସାହ ପ୍ରଦାନକାରୀ ସଚେତକଙ୍କ ନିତାନ୍ତ ଆବଶ୍ୟକ। ମାତା ସୀତାଙ୍କୁ ଖୋଜିବାକୁ ଯାଇ ଯେତେବେଳେ ହନୁମାନ ସମୁଦ୍ର ତଟରେ ପହଞ୍ଚତ୍ଲେ, ସମୁଦ୍ରର ବିସ୍ତାର ଏବଂ ବ୍ୟାପକତା ଦେଖି ସଂଶୟରେ ପଡ଼ିଗଲେ। ଭାବିଲେ ଏତେବଡ଼ ସମୁଦ୍ରକୁ ଲଂଘିବି କିପରି? ତାଙ୍କ ସଙ୍ଗରେ ଥିବା ନଳ, ନୀଳ, ଅଙ୍ଗଦଙ୍କ ମନରେ ଶଙ୍କା ଦେଖି ଜାମ୍ବବାନ ଅଧୀର ନ ହୋଇ ହନୁମାନଙ୍କ ପାଖକୁ ଯାଇ ତାଙ୍କୁ ତାଙ୍କର ଭୁଲିଯାଇଥିବା ଶକ୍ତି ବିଷୟରେ ମନେପକାଇ ଦେଇ କହିଲେ- ତୁମେ ମହାବଳୀ, ପରାକ୍ରମୀ ଅଞ୍ଜନିପୁତ୍ର ଏବଂ ଅପାର ଶକ୍ତିର ଉତ୍ସ। ଏକଥା ଶୁଣି, ସେ ଭୁଲିଯାଇଥିବା ଶକ୍ତିକୁ ଫେରିପାଇ, କାୟାବିସ୍ତାର କରି ସହଜରେ ବହୁକୋଶ ଦୂର ବିସ୍ତାରିତ ସମୁଦ୍ରକୁ ଲଙ୍ଘନ କରି ଲଙ୍କାରେ ପହଞ୍ଚତ୍ ପାରିଥିଲେ।
ଏହି ସଂକଟ ସମୟରେ ଅବସାଦଗ୍ରସ୍ତ ଓ ନିରୁତ୍ସାହିତ ଯୁବପିଢ଼ିଙ୍କ ପାଇଁ ଜାମ୍ବବାନଙ୍କ ଭଳି ଅନେକ ପ୍ରେରଣାଦାୟକଙ୍କ ଅତ୍ୟନ୍ତ ଆବଶ୍ୟକତା ରହିଛି। ଆମର ରାଜନେତା, ସମାଜସେବକ, ଶିକ୍ଷକ, ପିତାମାତା, ଗୁରୁଜନ, ସାଙ୍ଗସାଥୀଙ୍କର ଯୁବପିଢ଼ିଙ୍କ ଅବସାଦ କମ୍ କାରିବାରେ ବିଶେଷ ଭୂମିକା ରହିଛି। ସେଥିପାଇଁ ଏହି ସମୟରେ ସେମାନେ ଯୁବପିଢ଼ିଙ୍କର ସୁଖଦୁଃଖରେ ସମ୍ମିଳିତ ହୋଇ ଓ ତାଙ୍କ ହାତରେ ହାତ ମିଳାଇ ତାଙ୍କର ଧୈର୍ଯ୍ୟ ଏବଂ ମନୋବଳ ବଢ଼ାଇବା ଦରକାର, ଯାହାଦ୍ୱାରା ତାଙ୍କ ଭିତରେ ଶତସିଂହର ଶକ୍ତି ଜାଗ୍ରତ ହେବ। ସରକାର ବିଶେଷରୂପରେ ଯୁବପିଢ଼ିଙ୍କୁ ଉତ୍ସାହିତ କରିବା ପାଇଁ ଯଥାବିଧି ପଦକ୍ଷେପ ନେବା ଦରକାର। ଏହାଦ୍ୱାରା ତାଙ୍କର ଅବସାଦ କମ୍ ହେବ ଏବଂ ସେମାନେ ଦେଶର ପ୍ରଗତିରେ ସମ୍ପୂର୍ଣ୍ଣ ରୂପେ ଯୋଗଦାନ କରିପାରିବେ।
ଉଚ୍ଚଶିକ୍ଷା ପ୍ରାପ୍ତ କରି, ନିଯୁକ୍ତି ଅପେକ୍ଷାରେ ଥିବା ଅଥବା ନିଯୁକ୍ତି ପାଇ ଚାକିରି ହରାଇଥିବା ଯୁବପିଢ଼ିଙ୍କ ମନୋବଳ ବଢ଼ାଇବାରେ ତାଙ୍କ ମାତାପିତାଙ୍କ ଭୂମିକା ଏବଂ ତାଙ୍କର ସକାରାମତ୍କ ଭାବନା ଓ ସହଯୋଗ ଅତି ଆବଶ୍ୟକ। ଶିକ୍ଷକମାନେ ଉଚିତ ମାର୍ଗଦର୍ଶନ କରିବା ସଙ୍ଗେ ସଙ୍ଗେ ପାଠପଢ଼ା ପରେ ନିଯୁକ୍ତି ପାଇ ନ ଥିବା ଯୁବପିଢ଼ିକୁ ବିଭିନ୍ନ ପ୍ରକାର ରିସର୍ଚ୍ଚ ପ୍ରୋଜେକ୍ଟ କିମ୍ବା ଇଣ୍ଟର୍ନଶିପ୍ରେ ବ୍ୟସ୍ତ ରଖିବା ଦରକାର। ବିଭିନ୍ନ ପ୍ରକାର ସୃଜନଶୀଳ କାର୍ଯ୍ୟରେ ବ୍ୟସ୍ତ ରହିବା ଦ୍ୱାରା ମାନସିକ ଅବସାଦ କମ୍ ହୁଏ। ସ୍ବୟଂ ନିଯୁକ୍ତି କିମ୍ବା ବ୍ୟବସାୟଭିତ୍ତିକ ଖବର ଓ ଆର୍ଥିକ ସହାୟତା ସେମାନଙ୍କୁ ଯୋଗାଇଦେବା ଦରକାର, ଯାହାଦ୍ୱାରା ସେମାନେ ନିଜ ଗୋଡ଼ରେ ଠିଆ ହୋଇପାରିବେ।
କରୋନା ମହାମାରୀ ସମୟରେ ଯୁବପିଢ଼ିଙ୍କୁ ଏକ ଜାମ୍ବବାନ ନୁହେଁ, ଅନେକ ଜାମ୍ବବାନଙ୍କର ଆବଶ୍ୟକତା ଅଛି। ଯେଉଁମାନେ ତାଙ୍କର ମନର ଦଶା ଓ ଦିଶାକୁ ଏକ ସକାରାତ୍ମକ ରୂପଦେଇ ତାଙ୍କର ଅବସାଦକୁ କମ୍ କରି ମନରେ ଅପାର ଶକ୍ତିବର୍ଦ୍ଧନ କରିପାରିବେ। ଆଜି ଏକ ନୂତନ ଭାରତବର୍ଷର କଳ୍ପନା ଯୁବପିଢ଼ିଙ୍କ ଅବଦାନ ଓ ଯୋଗଦାନ ବିନା ଅସମ୍ଭବ। ସମୟ ବଡ଼ ବଳବାନ, ଏହା ବଦଳିବ ଏବଂ ବଦଳିବା ସଙ୍ଗେ ସଙ୍ଗେ ନୂତନ ଚିନ୍ତାଧାରା ଓ ଉଲ୍ଲାସ ଆଣିବ। ଆମ ଯୁବପିଢ଼ି ତାଙ୍କର ଶକ୍ତି ଓ ଜ୍ଞାନକାୈଶଳ ଦ୍ୱାରା ଏକ ସୁସ୍ଥ ସମାଜ ଏବଂ ଏକ ସ୍ଥିର ଅର୍ଥନୈତିକ ଭିତ୍ତିଭୂମି ଗଠନ କରି ଭାରତକୁ ବିକାଶ ପଥେ ନିଶ୍ଚିତ ରୂପେ ଆଗେଇ ନେବେ।