Categories: ଜାତୀୟ

ଯୁବବର୍ଗଙ୍କୁ ଭୁଲ୍‌ ରାସ୍ତା ଦେଖାଉଥିବା ଲୋକ ନେତା ନୁହେଁ: ବିପିନ ରାଓ୍ବତ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ ରାଜନୀତିଠାରୁ ସବୁବେଳେ ନିଜକୁ ଦୂରେଇ ରଖିଥାଏ ଭାରତୀୟ ସେନା। ହେଲେ ଏବେ ସ୍ଥଳସେନା ମୁଖ୍ୟ ବିପିନ ରାଓ୍ବତ ଏମିତି ଏକ କଥା କହିଛନ୍ତି ଯାହା ଭାରତୀୟ ରାଜନୀତିର ନେତାମାନଙ୍କୁ ସିଧା ସଳଖ ଇଙ୍ଗିତ କରୁଛି ବୋଲି କୁହାଯାଉଛି। ଗୁରୁବାର ରାଓ୍ବତ କହିଛନ୍ତି ଏବେ ଯୁବବର୍ଗଙ୍କୁ ଯେଉଁଭଳି ଭାବେ ହିଂସାର ରାସ୍ତାକୁ ଠେଲି ଦିଆଯାଉଛି ତାହା ଆଦୌ ସକରାତ୍ମକ ନେତୃତ୍ୱ ନୁହେଁ। ଏବେ ବିଶ୍ୱବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ରମାନେ ଅଧିକ ପରିମାଣରେ ହିଂସାରେ ସାମିଲ ହେଉଥିବା ଦେଖିବାକୁ ମିଳୁଛି ବୋଲି ସେ କହିଛନ୍ତି। ଏକ କାର୍ଯ୍ୟକ୍ରମରେ ଯୋଗ ଦେବ ଅବସରରେ ରାଓ୍ବତ କହିଛନ୍ତି, ନେତା ସେ ନୁହେଁ, ଯେ ଲୋକଙ୍କୁ ଭୁଲ ରାସ୍ତାରେ ପରିଚାଳିତ କରିବ। ଯଦିଓ ରାଓ୍ବତ କୌଣସି ନେତାଙ୍କ ନାମ ନେଇ ନାହାନ୍ତି ତଥାପି ସେ ପରୋକ୍ଷ ଭାବେ ଯୁବବର୍ଗଙ୍କୁ ଠିକ୍‌ ରାସ୍ତାରେ ନେବାକୁ ନେତାମାନଙ୍କୁ ଆହ୍ବାନ ଦେଇଛନ୍ତି। ଆଲୋଚନା ହେଉଛି କି ଦେଶରେ ସିଏଏ ଓ ଏନ୍‌ଆର୍‌ସିକୁ ନେଇ ଯେଉଁ ବିଶୃଙ୍ଖଳା ଦେଖାଦେଲା ତାକୁ ନେଇ ରାଓ୍ବତ ଏଭଳି କଥା କହିଛନ୍ତି। ସୂଚନାଯୋଗ୍ୟ, ନାଗରିକତ୍ୱ ସଂଶୋଧନ ଆଇନ ପରେ ଦେଶରେ ହିଂସାର ବାତାବରଣ ସୃଷ୍ଟି ହୋଇଥିବା ବେଳେ ଯୁବବର୍ଗ ଏଥିରେ ବହୁ ପରିମାଣରେ ଭାଗ ନେଇଥିବା ଦେଖାଯାଇଥିଲା।

Share