ଯୁବାବସ୍ଥାରେ ହାଇପର୍‌ଟେନ୍‌ସନ

ବର୍ତ୍ତମାନ ଯୁବାବସ୍ଥାରେ ଅନେକଙ୍କଠାରେ ହାଇପର୍‌ଟେନ୍‌ସନ୍‌ ବା ଉଚ୍ଚ ରକ୍ତଚାପ ସମସ୍ୟା ଦେଖିବାକୁ ମିଳୁଛି। ଏଥିପାଇଁ ଆଜିର ଯୁବପିଢ଼ିଙ୍କ ଅସନ୍ତୁଳିତ ଖାଦ୍ୟାଭ୍ୟାସ ସାଙ୍ଗକୁ ପରିବର୍ତ୍ତିତ ଜୀବନଶୈଳୀ ମୁଖ୍ୟତଃ ଦାୟୀ। ତେବେ ଏହା ଯେପରି ଭବିଷ୍ୟତରେ ଅନ୍ୟ କୌଣସି ବଡ଼ ସ୍ବାସ୍ଥ୍ୟ ସମସ୍ୟା ନ ଉପୁଯାଏ, ସେଥିପାଇଁ ଯଥା ସମୟରେ ଏହାକୁ ନିୟନ୍ତ୍ରଣ କରିବା ଆବଶ୍ୟକ…

ଯୁବାବସ୍ଥାରେ ହାଇପର୍‌ଟେନ୍‌ସନ ବା ଉଚ୍ଚ ରକ୍ତଚାପର ସବୁଠୁ ବଡ଼ କାରଣ ହେଉଛି ମେଦବହୁଳତା। ତେଣୁ ଶରୀରର ଓଜନ ନିୟନ୍ତ୍ରଣରେ ରଖିବାକୁ ଚେଷ୍ଟା କରନ୍ତୁ। ଓଜନ ବଢ଼ିବା ଆରମ୍ଭ ହେଲେ ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଏହାକୁ କମାଇବା ଲାଗି ଯୋଗ, ବ୍ୟାୟାମ ଆଦି କରନ୍ତୁ।
ତେଲ ମସଲା ବା ଚର୍ବିଜାତୀୟ ଖାଦ୍ୟ ଏବଂ ଲୁଣ କମ୍‌ ଖାଆନ୍ତୁ। ଯଦି ଜଙ୍କ୍‌ଫୁଡ୍‌, ଫାଷ୍ଟଫୁଡ୍‌, ପ୍ୟାକେଟ୍‌ କିମ୍ବା ଫ୍ରୋଜେନ୍‌ ଫୁଡ୍‌ ଖାଉଛନ୍ତି, ତେବେ ଯଥାଶୀଘ୍ର ଖାଦ୍ୟାଭ୍ୟାସ ବଦଳାନ୍ତୁ। ଅଧିକରୁ ଅଧିକ ସନ୍ତୁଳିତ ଆହାର ଗ୍ରହଣ କରନ୍ତୁ। ପ୍ରଚୁର ପରିମାଣରେ ପାଣି ପିଇଲେ ଏପରି ସମସ୍ୟା ଦୂର ହେବ।
ମୋବାଇଲ୍‌ ଏବଂ ଲାପ୍‌ଟପ୍‌ ଆଦିର ବହୁଳ ବ୍ୟବହାର ଯୋଗୁ ଅନେକଙ୍କ ଠାରେ ଶାରୀରିକ ପରିଶ୍ରମ କମୁଥିବା ଦେଖିବାକୁ ମିଳୁଛି। ସେମାନେ ଗୋଟିଏ ସ୍ଥାନରେ ଘଣ୍ଟାଘଣ୍ଟା ଧରି ବସିରହିବା ଦ୍ୱାରା ଶରୀରରେ ଧୀରେଧୀରେ ଚର୍ବିଅଂଶ ଜମା ହେଉଛି। ଫଳରେ ରକ୍ତ ସଞ୍ଚାଳନ ବାଧାପ୍ରାପ୍ତ ହେବା ସହ ଉଚ୍ଚ ରକ୍ତଚାପ ଦେଖାଦେଉଛି। ତେଣୁ ପ୍ରତିଦିନ କିଛି ସମୟ ବ୍ୟାୟାମ, ଯୋଗ ଆଦି ଅଭ୍ୟାସ କରନ୍ତୁ। ଆପଣ ଚାହିଁଲେ ଜିମ୍‌ ଯାଇ ଏକ୍ସରସାଇଜ୍‌ କରିପାରିବେ।
ଅନେକ ଯୁବତୀଯୁବକ ଧୂମପାନ ଏବଂ ଆଲ୍‌କହଲ୍‌ ଭଳି ମାଦକ ଦ୍ରବ୍ୟ ସେବନକୁ ଷ୍ଟାଇଲ୍‌ ଷ୍ଟେଟ୍‌ମେଣ୍ଟ ଭାବେ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି। ହେଲେ ଅପରପକ୍ଷେ ଏହା ସେବନ କରୁଥିବାର ଦେଖିବାକୁ ମିଳୁଛି। ଏଣୁ ଏହା ମଧ୍ୟ ଉଚ୍ଚ ରକ୍ତଚାପ ସୃଷ୍ଟି କରିବା ଲାଗି ମୁଖ୍ୟତଃ ଦାୟୀ।
ଜବ୍‌ ଏବଂ ଅନ୍ୟାନ୍ୟ ମାନସିକ ଚାପ ବି ଅନେକଙ୍କଠାରେ ଏହି ସମସ୍ୟା ସୃଷ୍ଟି କରିବା ଲାଗି ଦାୟୀ। ତେଣୁ କୌଣସି ପ୍ରକାରର ଚିନ୍ତା ବା ମାନସିକ ଚାପ ଥିଲେ ଏହାର କାରଣ ଜାଣିବାକୁ ଚେଷ୍ଟା କରନ୍ତୁ। ସର୍ବଦା ମନ ଖୁସି ଏବଂ ଅବସାଦ ମୁକ୍ତ ରୁହନ୍ତୁ।