Categories: ଖେଳ

ଯୁବ ତ୍ରିରାଷ୍ଟ୍ରୀୟ ସିରିଜ୍‌: ଭାରତୀୟ ଦଳର କ୍ରମାଗତ ଦ୍ୱିତୀୟ ପରାଜୟ

ବିଲେରିକା(ଇଂଲଣ୍ଡ),୩୧।୭(ପିଟି)- ଏଠାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ଯୁବ ସିରିଜ୍‌ରେ ୧୯ ବର୍ଷରୁ କମ୍‌ ଭାରତୀୟ ଦଳକୁ ବାଂଲାଦେଶ ୨ ଉଇକେଟରେ ହରାଇ ଦେଇଛି। ଏହା ଚଳିତ ସିରିଜ୍‌ରେ ଭାରତୀୟ ଦଳର କ୍ରମାଗତ ଦ୍ୱିତୀୟ ପରାଜୟ। ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌କୁ ୧୯ ବର୍ଷରୁ କମ୍‌ ବାଂଲାଦେଶ ଦଳ ଡକ୍‌ଓ୍ବର୍ଥ/ଲୁଇସ୍‌ ନିୟମରେ ଜିତିଛି। ୩୬ ଓଭରିଆ ମ୍ୟାଚ୍‌ରେ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୫ ଉଇକେଟ ହରାଇ ୨୨୧ ରନ୍‌ କିରଥିଲା। ଦଳ ପାଇଁ ଅଧିନାୟକ ଧ୍ରୁବ ଜୁରେଲ ୭୦ ଓ ପ୍ରଜନେଶ କାନପିଲଓ୍ବେର ୫୩ ରନ୍‌ କରିଥିଲେ। ଏହାପରେ ଡି/ଏଲ ନିୟମ ଅନୁଯାୟୀ ବାଂଲାଦେଶ ଆଗରେ ୩୨ ଓଭରରେ ୨୧୮ ରନ୍‌ର ବିଜୟଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଦଳ ୩ଟି ବଲ ପୂର୍ବରୁ ୮ ଉଇକେଟ ହରାଇ ବିଜୟୀ ଲାଗି ଆବଶ୍ୟକ ରନ୍‌ ସଂଗ୍ରହ କରିନେଇଥିଲା। ବିଜୟୀ ଦଳ ଲାଗି ପର୍ଭେଜ ହୋସେନ ଇମନ ୫୧ ଓ ଅଧିନାୟକ ଆକ୍‌ବର ଅଲି ୪୯ ରନ୍‌ର ଉପଯୋଗୀ ଇନିଂସ ଖେଳିଥିଲେ। ଭାରତ ପକ୍ଷରୁ ସୁଶାନ୍ତ ମିଶ୍ର ୩ଟି ଉଇକେଟ ନେଇଥିବାବେଳେ ପୁର୍ନାଙ୍କ ତ୍ୟାଗି ଓ ରବି ବିଷ୍ଣୋଇ ୨ ଲେଖାଏ ସଫଳତା ପାଇଥିଲେ। ପୂର୍ବରୁ ୧୯ ବର୍ଷରୁ କମ୍‌ ଭାରତୀୟ ଦଳ ତା’ର ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡଠାରୁ ପରାଜୟ ବରଣ କରିଥିଲା।

Share