Categories: ଖେଳ

ଯୁବ ଭାରତୀୟ ଦଳକୁ ରେକର୍ଡ ଏସିଆ କପ୍‌

କଲମ୍ବୋ,୧୪।୯: ବାମହାତୀ ସ୍ପିନର ଅଥର୍ବ ଆଙ୍କୋଲେକରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଭାରତୀୟ ଦଳ ୧୯ ବର୍ଷରୁ କମ୍‌ କ୍ରିକେଟ ଏସିଆ କପ୍‌ ଜିତିଛି। ସ୍ଥାନୀୟ ଆର. ପ୍ରେମଦାସ ଷ୍ଟାଡିୟମରେ ଅନୁଷ୍ଠିତ ଏକ ଲୋ ସ୍କୋରିଂ ମ୍ୟାଚ୍‌ରେ ଭାରତୀୟ ଦଳ ୫ ରନ୍‌ରେ ବାଂଲାଦେଶକୁ ହରାଇ ଦେଇଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଭାରତୀୟ ଦଳ ଇନିଂସ ଆରମ୍ଭରୁ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଫଳରେ ଦଳ ମାତ୍ର ୩୨.୪ ଓଭରରେ ୧୦୬ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା। ୩ ଜଣ ବ୍ୟାଟ୍ସମ୍ୟାନ ଖାତା ଖୋଲିପାରି ନ ଥିବାବେଳେ ୫ ଜଣ ଦୁଇ ଅଙ୍କ ସ୍କୋର ଛୁଇଁପାରି ନ ଥିଲେ। କେବଳ କରନ ଲାଲ ୩୭, ଅଧିନାୟକ ଧ୍ରୁବ ଜୁରେଲ ୩୩ ଓ ଶଶ୍ୱାତ ରାଓ୍ବତ ୧୯ ରନ୍‌ କରିଥିଲେ। ବାଂଲାଦେଶ ପକ୍ଷରୁ ମୃତ୍ୟୁଞ୍ଜୟ ଚୌଧାରୀ ଓ ଶାମିମ ହୋସେନ ୩ ଲେଖାଏ ଉଇକେଟ ନେଇଥିଲେ। ଜବାବରେ ବାଂଲାଦେଶ ବ୍ୟାଟିଂ ଲାଇନ ଅଫ୍‌ ମଧ୍ୟ ସମାନ ଦଶା ଭୋଗିଥିଲା। ୧୦୭ ରନ୍‌ର ଛୋଟିଆ ଟାର୍ଗେଟ ନେଇ ଓହ୍ଲାଇଥିବା ବାଂଲାଦେଶ ୩୩ ଓଭରରେ ୧୦୧ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଦଳ ପାଇଁ ଅଧିନାୟକ ଆଖବର ଅଲି ୨୩, ମୃତ୍ୟୁଞ୍ଜୟ ୨୧, ତାନ୍‌ଜିମ ହାସନ ସାକିବ ୧୨ ଓ ରକିବୁଲ ହାସନ ୧୧ ରନ୍‌ କରିଥିଲେ। ୧୮ ବର୍ଷୀୟ ଅଙ୍କୋଲେକର ୮ ଓଭର ବୋଲିଂ କରି ୨୮ ରନ୍‌ କ୍ଷତିରେ ୫ ଉଇକେଟ ନେଇ ହିରୋ ସାଜିଛନ୍ତି। ତାଙ୍କୁ ଭରପୂର ସହାୟତା କରିଥିଲେ ଆକାଶ ସିଂ। ସେ ୩ ଉଇକେଟ ନେଇଥିବାବେଳେ ବିଦ୍ୟାଧର ପାଟିଲ ଓ ସୁଶାନ୍ତ ମିଶ୍ର ଗୋଟିଏ ଲେଖାଏ ସଫଳତା ପାଇଥିଲେ। ଭାରତୀୟ ଦଳ ୭ମଥର ପାଇଁ ଏସିଆ କପ୍‌ ଜିତିଛି।

Share