ଯେଉଁଠି ଚାକିରି ସେଇଠି ଅବସର: ଜୋର୍‌ ଧରିଲା ବଦଳି ଦାବି

ବାଲିଗୁଡ଼ା,୪।୩(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ସହରରେ ଥିବା ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀମାନେ ଦୀର୍ଘଦିନ ଧରି ଗୋଟିଏ ସ୍ଥାନରେ ରହି ଆସୁଥିଲେ ମଧ୍ୟ ସେମାନଙ୍କର ଅନ୍ୟତ୍ର ବଦଳି ହେଉ ନ ଥିବା ଅଭିଯୋଗ ହେଉଛି। ସରକାରୀ ଚାକିରିଆମାନେ ଗୋଟିଏ ସ୍ଥାନରେ ୩ବର୍ଷରୁ ଅଧିକ ସମୟ ରହିବା ନିୟମ ନ ଥିଲେ ମଧ୍ୟ ଉକ୍ତ ନିୟମକୁ ଉଲଂଘନ କରି ଜଣେ ଜଣେ କର୍ମଚାରୀ ୪ରୁ ୬ବର୍ଷ ଏପରିକି ୭ରୁ୧୦ ବର୍ଷ ପର୍ଯ୍ୟନ୍ତ ଗୋଟିଏ ସ୍ଥାନରେ ରହିଆସୁଥିଲେ ମଧ୍ୟ ସେମାନଙ୍କର ବଦଳି ହେଉ ନ ଥିବା କୁହାଯାଏ।
କେତେକ କର୍ମଚାରୀ ରାଜନୈତିକ ଚାପ ପକାଇ ଗୋଟିଏ ସ୍ଥାନରେ ଗୋଟିଏ ବିଭାଗରେ କାର୍ଯ୍ୟ କରିଆସୁଛନ୍ତି। ବିଶେଷକରି ପୂର୍ତ୍ତବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, ଜଳସେଚନ, ଗ୍ରାମ୍ୟ ପରିମଳ, ଶିକ୍ଷାବିଭାଗ ଓ ଜିଲାପାଳ ଉପଜିଲାପାଳଙ୍କର କାର୍ଯ୍ୟାଳୟର ବିଭିନ୍ନ ବିଭାଗରେ ଦୀର୍ଘଦିନ ଧରି କାର୍ଯ୍ୟ କରୁଥିଲେ ମଧ୍ୟ ସେମାନଙ୍କର ଅନ୍ୟତ୍ର ବଦଳି ହେଉ ନ ଥିବା ଏପରିକି କେତେକ କର୍ମଚାରୀ ଯେଉଁ ସ୍ଥାନରେ ଚାକିରିରେ ଯୋଗ ଦେଇଥିଲେ ସେହି ସ୍ଥାନରେ ଅବସର ପର୍ଯ୍ୟନ୍ତ କାର୍ଯ୍ୟ କରୁଥିବା ମଧ୍ୟ ବହୁ ନଜିର ରହିଛି। ଜିଲାପାଳ ଓ ଉପଜିଲାପାଳ ଅନ୍ୟାନ୍ୟ ବିଭାଗର ମୁଖ୍ୟମାନେ ଏଦିଗରେ ତଦନ୍ତ କରି ୩ବର୍ଷରୁ ଊର୍ଦ୍ଧ୍ୱ ରହିଥିବା କର୍ମଚାରୀମାନଙ୍କୁ ଅନ୍ୟତ୍ର ବଦଳି କରିବା ପାଇଁ ସାଧାରଣରେ ଦାବି ହେଉଛି।

Share