ଯେଉଁଠି ଦେବୀଦେବତାଙ୍କୁ ମିଳେ ଦଣ୍ଡ

ଅଦାଲତରେ ସାଧାରଣତଃ ମଣିଷମାନଙ୍କୁ ଦଣ୍ଡ ବିଧାନର ବ୍ୟବସ୍ଥା ରହିଛି। ସେମିତି ଗାଁ ଗଣ୍ଡାରେ ଦେବୀଦେବତାଙ୍କୁ ସାକ୍ଷୀ ରଖି ବିଭିନ୍ନ ପ୍ରକାର ମାମଲାର ସମାଧାନ କରାଯାଇଥିବା ମଧ୍ୟ ଦେଖିବାକୁ ମିଳେ। ହେଲେ ଛତିଶଗଡ଼ ବସ୍ତର ଅଞ୍ଚରେ ଥିବା ଆଦିବାସୀମାନଙ୍କ ଅଦାଲତରେ ଦେବୀ ଦେବତାଙ୍କୁ ଦଣ୍ଡ ବିଧାନ କରାଯାଇଥାଏ। ଯାହା ବିଶ୍ୱାସ ନ ହୋଇଥିଲେ ବି ସତ। ଜିଲା ମୁଖ୍ୟାଳୟରୁ ପ୍ରାୟ ୬୦ କିଲୋମିଟର ଦୂର ସର୍ପିଳାକାୟ କେଶକାଲ ଘାଟର ଜଙ୍ଗଲରେ ବହୁ ପୁରାତନ ଭଙ୍ଗାରାମ ବାବାଙ୍କ ମନ୍ଦିର ରହିଛି। ଏହାକୁ ଦେବୀ ଦେବତାଙ୍କ ନ୍ୟାୟଳୟ ବୋଲି କୁହାଯାଏ। ଲୋକଙ୍କର ବିଶ୍ୱାସ ରହିଛି ଯେ ଭଙ୍ଗାରାମଙ୍କ ବିନା ଅନୁମତିରେ ଆଖାପାଖ ଅଞ୍ଚଳରେ ଥିବା ଦେବାଦେବୀଙ୍କର କୌଣସି ଅସ୍ତିତ୍ୱ ନ ଥାଏ। ବର୍ଷରେ ଗୋଟିଏ ଦିନ ଭାଦ୍ରବ ଶୁକ୍ଳପକ୍ଷ ପ୍ରତିପଦ ତିଥିରେ ମନ୍ଦିର ପ୍ରାଙ୍ଗଣରେ ବିଶାଳ ଯାତ୍ରା ବା ମେଳାର ଆୟୋଜନ କରାଯାଇଥାଏ। ଏହି ମେଳାରେ ଶ୍ରଦ୍ଧାଳୁମାନେ ସେମାନଙ୍କ ଦେବୀ ଦେବତାଙ୍କ ସହ ଆସି ପହଞ୍ଚିଥାଆନ୍ତି। ହେଲେ ଏଠାକୁ ମହିଳାଙ୍କୁ ପ୍ରବେଶ କରିବାକୁ ଦିଆଯାଇ ନ ଥାଏ। ଆସ୍ଥା ଓ ବିଶ୍ୱାସ ଅନୁଯାୟୀ ଯିଏ ଯେଉଁ ଦେବୀ ଅବା ଦେବତାଙ୍କୁ ପୂଜା କରୁଥାଆନ୍ତି ସେମାନେ ଯଦି ସେମାନଙ୍କ ମନସ୍କାମନା ପୂରଣ ନ କରନ୍ତି ତେବେ ସେମାନଙ୍କୁ କାଠ ଗଡାରେ ଠିଆ ହେବାକୁ ପଡିଥାଏ। ଆଉ ଏହି ସମୟରେ ଭଙ୍ଗାରାମ ବିଚାର ପତି ଭାବେ ଦେବୀ ଅବା ଦେବତାଙ୍କୁ ଦଣ୍ଡ ଦେଇଥାଆନ୍ତି। କୁହାଯାଏ ଗାଁରେ କୌଣସି ରୋଗ ବ୍ୟାଧି ଅବା ବିଶୃଙ୍ଖଳା ପରିସ୍ଥିତି ଦୂର ନ ହେଲେ ଦେବୀ ଦେବତାଙ୍କୁ ଦୋଷୀ ବୋଲି ଧରାଯାଇଥାଏ। ଏଥିରେ ଯଦି କୌଣସି ଦେବୀ ଅବା ଦେବତା ଦୋଷୀ ବୋଲି ପ୍ରମାଣିତ ହୁଅନ୍ତି ତେବେ ତାଙ୍କ ନାଁରେ ଥିବା ବା ସେ ପୂଜା ପାଉଥିବା ଦୋଳି, ତାଙ୍କର ବସ୍ତ୍ର ସହ ଅନ୍ୟାନ୍ୟ ଉପକରଣକୁ ନିକଟରେ ଥିବା ଏକ ଗଭୀର ଗାତରେ ଫୋପାଡି ଦିଆଯାଇଥାଏ। ଉକ୍ତ ଗର୍ତ୍ତଟିକୁ ଜେଲ୍‌ ବୋଲି ଲୋକେ ଭାବନ୍ତି। ତେବେ ଏହି ବିଚାର ସମୟରେ ମନ୍ଦିରର ପୂଜକ, ମାଝି, ସିରହା, ଗାୟତା, ପଟେଲ ଆଦି ଗାଁ ମୁଖିଆ ୨ ଭାଗରେ ବିଭକ୍ତ ହୋଇ ବିଚାର କରିଥାଆନ୍ତି।

Share