ଯେଉଁଠି ପୂଜା ଥାଳି ବଦଳରେ ନିଆଯାଏ ସାପ

ସାପ ନାଁ ଶୁଣିବା ମାତ୍ରେ ଲୋକେ ଭୟରେ ଥରି ଉଠନ୍ତି। ଯଦି କାହାରି ସମ୍ମୁଖକୁ ସାପ ଆସିଗଲା, ତେବେ କଥା ସେଇଠି ସରିଲା। କିନ୍ତୁ ଗୋଟିଏ କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। ବିଶ୍ୱରେ ଏଭଳି ଏକ ସ୍ଥାନ ରହିଛି, ଯେଉଁଠାରେ ଲୋକେ ସାପକୁ ବେଶ୍‌ ଆନନ୍ଦର ସହ ଖୋଜି ନିଜ ସାଙ୍ଗରେ ମନ୍ଦିରକୁ ନେଇଥାନ୍ତି। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଏଭଳି ବିସ୍ମୟକର ଘଟଣା ଦେଖିବାକୁ ମିଳିଛି ମ୍ୟାନ୍‌ମାରର ୟାଙ୍ଗୁନ୍‌ ସହରରେ। ଉକ୍ତ ସହର ନିକଟରେ ଏକ ବିଶାଳ ହ୍ରଦ ରହିଛି। ସେଠାରେ ବହୁ ପ୍ରାଚୀନ କାଳରୁ ଏକ ବୌଦ୍ଧ ମନ୍ଦିର ଅବସ୍ଥିତ। ମନ୍ଦିରର ମୁଖ୍ୟ ଘରେ ଭଗବାନ ବୁଦ୍ଧଙ୍କ ପ୍ରତିମା ପାଖରେ ଏକ ଗଛ ରହିଛି। ଏହି ଗଛର ଶାଖାଗୁଡ଼ିକରେ ସାପ ଝୁଲୁଥିବାର ଦେଖିବାକୁ ମିଳେ। ପ୍ରତିଦିନ ଏଠାକୁ ଶହ ଶହ ଲୋକ ଆସି ସାପକୁ ଦେଖି ମୁଣ୍ଡିଆ ମାରିବା ସହ ନିଜର ମନବାଞ୍ଛା ପୂରଣ ପାଇଁ କାମନା କରିଥାନ୍ତି। ଆଉ ନିଜ ସାଙ୍ଗରେ ପୂଜାଥାଳି ପରିବର୍ତ୍ତେ ସାଙ୍ଗରେ ସାପ ଆଣିଥାନ୍ତି। ସାପ ବି ଏମିତି ସେମିତି ନୁହେଁ ବିଷଧର ନଚେତ୍‌ ଅଜଗର। ଏଠାରେ ବିଶ୍ୱାସ ରହିଛି ଯେ, ମନ୍ଦିରରେ ସାପ ଛାଡିବା ଦ୍ୱାରା ଲୋକଙ୍କ ମନସ୍କାମନା ପୂରଣ ହୋଇଥାଏ। ତେଣୁ ଏହି ମନ୍ଦିରର ନାମ ସ୍ନେକ୍‌ ଟେମ୍ପୁଲ ବୋଲି ରଖାଯାଇଛି। ତେବେ ମନ୍ଦିରରେ ଏକ ସର୍ତ୍ତ ରହିଛି। ଜଣେ ବ୍ୟକ୍ତି କେବଳ ଗୋଟିଏ ଇଚ୍ଛା ପାଇଁ ଭଗବାନଙ୍କୁ ମିନତି କରିପାରିବ। ଏକରୁ ଊର୍ଦ୍ଧ୍ୱ ଇଚ୍ଛା ପ୍ରକାଶ କଲେ ଏହାକୁ ଲୋଭୀ ବୋଲି ମନେକରାଯାଏ। କୁହାଯାଏ, ଏହି ମନ୍ଦିର ଭିତରେ ଯେଉଁ ଗଛ ରହିଛି ଏକଦା ବୁଦ୍ଧଦେବ ସେଠାରେ ଧ୍ୟାନ କରୁଥିଲେ। ସେହି ସମୟରେ ବର୍ଷା ହୋଇଥିଲା। ତାଙ୍କୁ ବର୍ଷାରୁ ରକ୍ଷା କରିବା ପାଇଁ ନାଗ ନିଜର ଫଣା ଟେକି ଠିଆ ହୋଇଯାଇଥିଲା। ସେହିଦିନ ଠାରୁ ସ୍ଥାନୀୟ ଲୋକଙ୍କ ବିଶ୍ୱାସ ରହିଛି ଯେ, ଏଠାରେ ସାପକୁ ଛାଡିଲେ ମନସ୍କାମନା ପୂରଣ ହେବା ସହ ପୁଣ୍ୟ ମିଳିଥାଏ।

Share