ପରମ୍ପରା ନାଁରେ ଏବେବି ଅନେକ ଅନ୍ଧ ବିଶ୍ୱାସ ପ୍ରଚଳିତ ରହିଛି। ଉତ୍ତର ପ୍ରଦେଶର ତରାଇ ଅଞ୍ଚଳରେ ଥିବା ଥାରୁ ମହିଳାମାନେ ପୁରୁଷମାନଙ୍କୁ ଖାଦ୍ୟ ପରସିବା ପରେ ଥାଳିଟିକୁ ଗୋଡରେ ଠେଲି ଦେଇଥାଆନ୍ତି। ଇତିହାସ କହେ ୧୫୭୬ରେ ହଳଦିଘାଟ ଯୁଦ୍ଧ ସମୟରେ ମହାରାଣା ପ୍ରତାପଙ୍କ ସହଯୋଗୀମାନେ ନିଜ ପରିବାରକୁ ସୁରକ୍ଷା ଦେବାକୁ ଯାଇ ନିଜ ସେବକମାନଙ୍କ ସହ ହିମାଳୟ ପାଦଦେଶକୁ ପଠାଇ ଦେଇଥିଲେ। ବହୁ ବାଟ ବୁଲି ବୁଲି ଏମାନେ ନେପାଳ ସୀମାରେ ଥିବା ଉତ୍ତର ପ୍ରଦେଶ ତରାଇ ଅଞ୍ଚଳରେ ପହଞ୍ଚିଥିଲେ। ଆଉ ସେହିଠାରେ ହିଁ ସେମାନେ ରହିବାକୁ ଲାଗିଲେ। ରାଜସ୍ଥାନରୁ ଆସିଥିବାରୁ ଏମାନଙ୍କୁ ଥାରୁ ବୋଲି କୁହାଗଲା। ସୁରକ୍ଷା ଦୃଷ୍ଟିରୁ ଏହି ମହିଳାମାନେ ସେମାନଙ୍କ ସେବକ ଓ ସୈନିକଙ୍କୁ ବିବାହ କରିନେଲେ। ହେଲେ ଏହି ମହିଳାମାନେ ନିଜ କୁଳିନ ପ୍ରବୃତ୍ତି ବା ରାଜକୀୟ ଢଙ୍ଗକୁ ଛାଡି ପାରିଲେନି। ନିଜ ଅହଂକାରକୁ ବଜାୟ ରଖିବାକୁ ଏମାନେ ଯେତେବେଳେ ବି ପୁରୁଷମାନଙ୍କୁ ଖାଇବା ପରସନ୍ତି ତା’ପରେ ଥାଳିଟିକୁ ଗୋଡରେ ଠେଲି ଦେଇ ନିଜର ଅହଂକାରକୁ ପୂରଣ କରନ୍ତି ବୋଲି ଇତିହାସ କୁହେ। ଏବେ ଧୀରେ ଧୀରେ ଏହା ପରମ୍ପରାରେ ପରିଣତ ହୋଇଯାଇଛି। ହେଲେ ଏହି ପରମ୍ପରାକୁ କେତେକ ପାଳନ କରୁଥିବା ବେଳେ ଅନ୍ୟ କେତେକ ପାଳନ କରୁ ନାହାଁନ୍ତି।