ଯେଉଁ ଖଣିର ହୀରା ନେଇ ପାରିବେ ସାଧାରଣ ଜନତା

ହୀର ଖଣି ସାଧାରଣତଃ କମ୍ପାନୀମାନଙ୍କ ଅଧିନରେ ଥାଏ। ଯେଉଁମାନେ ଏହାକୁ କ୍ରୟ କରିଥାଆନ୍ତି। ହେଲେ ଏମିତି ଏକ ଖଣି ଅଛି ଯେଉଁଠୁ ସାଧାରଣ ଜନତା ମଧ୍ୟ ହୀରା ଆଣିପାରିବେ। ଆମେରିକାର ଆରକାନସସ ରାଜ୍ୟର ପାଇକ କାଉଣ୍ଟିରେ ମରଫ୍ରେସବୋରୋରେ ରହିଛି ଏମିତି ଏକ ହୀରା ଖଣି। ଆରକାନସସ ନ୍ୟାଶନାଲ ପାର୍କରେ ଥିବା ୩୭.୫ ଏକର ସ୍ଥାନରେ ହୀରା ମିଳେ ବୋଲି କୁହାଯାଏ। ପ୍ରଥମେ ୧୯୦୬ରେ ଏଠାରେ ହୀରା ମିଳିଥିବା ଜଣାଯାଏ। ସେଥିପାଇଁ ଏହାକୁ ‘ଦ କ୍ରେଟର ଅଫ୍‌ ଡାଇମଣ୍ଡ’ ବୋଲି ମଧ୍ୟ କୁହାଯାଏ। ୧୯୦୬ରେ ଜନ ହଡଲେଷ୍ଟେନ ନାମକ ଜଣେ ବ୍ୟକ୍ତିଙ୍କୁ ନିଜ ଫାର୍ମରେ ୨ ଖଣ୍ଡ ଚମକୁଥିବା କ୍ରିଷ୍ଟଲ ମିଳିଥିଲା। ସେ ଏହାକୁ ପରୀକ୍ଷା କରିବାରୁ ଜଣାପଡିଲା କି ଏହା ହୀରା। ଏହାପରେ ନିଜର ୨୪୩ ଏକର ଜମିକୁ ସେ ଗୋଟିଏ ହୀରା କମ୍ପାନୀକୁ ଉଚ୍ଚ ଦାମରେ ବିକ୍ରି କରି ଦେଇଥିଲେ। ୧୯୭୨ରେ କମ୍ପାନୀ କିଣିଥିବା ସ୍ଥାନଟି ନ୍ୟାଶନାଲ ପାର୍କ ଅଧିନରେ ଚାଲି ଆସିଥିଲା। ଏହାପରେ ଆରକାନସସ ଡିପାର୍ଟମେଣ୍ଟ ଅଫ୍‌ ପାର୍କ ଆଣ୍ଡ ଟୁରିଜିମ ଏହାକୁ କ୍ରୟ କରି ସାଧାରଣ ଜନତାଙ୍କ ପାଇଁ ଖୋଲି ଦେଇଥିଲେ। ହେଲେ ଏହି ହୀରା ଖଣିରୁ ହୀରା ଖୋଜିବା ପାଇଁ ଲୋକଙ୍କୁ ଅଳ୍ପକିଛି ଅର୍ଥ ଦେବାକୁ ପଡିଥାଏ। କୁହାଯାଏ ଏପର୍ଯ୍ୟନ୍ତ ଲୋକଙ୍କୁ ହଜାର ହଜାର ହୀରା ମିଳିସାରିଲାଣି। ନ୍ୟାଶନାଲ ପାର୍କ ଅଧିକାରୀଙ୍କ ସୂଚନା ଅନୁଯାୟୀ, ୧୯୭୨ରୁ ଏପର୍ଯ୍ୟନ୍ତ ୩୦ ହଜାରରୁ ଅଧିକ ହୀରା ମିଳି ସାରିଲାଣି। ‘ଅଙ୍କଲ ସୋମ’ ନାମକ ହୀରା ଏହିଠାରୁ ମିଳିଥିବା କୁହାଯାଏ। ଯାହା ୪୦ କ୍ୟାରେଟ ଥିଲା। ଆମେରିକାରେ ଏପର୍ଯ୍ୟନ୍ତ ମିଳିଥିବା ହୀରା ମଧ୍ୟରେ ଏହା ସବୁଠାରୁ ବଡ ବୋଲି କୁହାଯାଏ। ହେଲେ ଏଠାରେ ପ୍ରାୟ ୪-୫ କ୍ୟାରେଟର ହୀରା ମିଳିଥାଏ। ଲୋକେ ବହୁ ସଂଖ୍ୟାରେ ଏଠାକୁ ହୀରା ଖୋଜିବାକୁ ଆସିଥାଆନ୍ତି। ହେଲେ ଯାହାର ଭାଗ୍ୟରେ ଏହାଥାଏ ତାହା ମିଳିଥାଏ ବୋଲି କୁହାଯାଏ।

Share