ମନ୍ଦିରରେ ମୂର୍ତ୍ତି ତ ଅନେକ ଦେଖିଥିବେ। କିନ୍ତୁ କେବେ କଥାକୁହା ମୂର୍ତ୍ତି ବିଷୟରେ ଶୁଣିଛନ୍ତି। ବିଷୟଟି ଆଶ୍ଚର୍ଯ୍ୟ କରୁଥିବ; ମାତ୍ର ଏହା ସତ। ତନ୍ତ୍ର ସାଧନା ପାଇଁ ପ୍ରସିଦ୍ଧ ବିହାରର ୪୦୦ ବର୍ଷ ପୁରୁଣା ରାଜ ରାଜେଶ୍ୱରୀ ତ୍ରିପୁରା ସୁନ୍ଦରୀ ମନ୍ଦିରରେ ଏଭଳି କିଛି ଆଶ୍ଚର୍ଯ୍ୟଜନକ ଘଟଣା ଘଟୁଥିବା ଶୁଣାଯାଉଛି। ମନ୍ଦିରକୁ ଆସୁଥିବା ପ୍ରତ୍ୟେକ ଶ୍ରଦ୍ଧାଳୁଙ୍କ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ତେଣୁ ଭକ୍ତଙ୍କ ସମାଗମ ଏଠାରେ ପ୍ରତିଦିନ ବଢ଼ିବାରେ ଲାଗିଛି। କିନ୍ତୁ ଆଉ ଏକ ଅଦ୍ଭୁତ ଘଟଣା ଏଠାରେ ଭକ୍ତଙ୍କୁ ନିଜ ଆଡ଼କୁ ଆକର୍ଷିତ କରିଥାଏ। ତା’ ହେଉଛି ମନ୍ଦିରରେ ନିସ୍ତବ୍ଧ ନିଶା ରାତ୍ରିରେ ମୂର୍ତ୍ତିଗୁଡିକ ପରସ୍ପର ମଧ୍ୟରେ କଥାବାର୍ତ୍ତା କରିଥାନ୍ତି। ମଧ୍ୟରାତ୍ରିରେ ଯେତେବେଳେ ଲୋକେ ମନ୍ଦିର ସାମ୍ନା ଦେଇ ଯାଉଥାନ୍ତି, ସେତେବେଳେ କଥାକୁହା ଶବ୍ଦ ସେମାନଙ୍କ କାନରେ ପଡ଼େ। ଘଟଣା ପ୍ରଚାର ହେବା ପରେ ବୈଜ୍ଞାନିକ ଦଳ ମଧ୍ୟ ଏହାର ସତ୍ୟତା ଉନ୍ମୋଚନ ପାଇଁ ପ୍ରୟାସ କରିଥିଲେ। ମନ୍ଦିରରେ କେହି ନଥିଲେ ମଧ୍ୟ ସେମାନଙ୍କୁ କଥାବାର୍ତ୍ତା ଶୁଭିଥିଲା। ଏହାକୁ ନେଇ ବୈଜ୍ଞାନିକ ଆଶ୍ଚର୍ଯ୍ୟରେ ପଡ଼ିଛନ୍ତି।