Categories: ଫୁରସତ

ଯେଉଁ ମନ୍ଦିରରେ ପୂଜା ପାଏ କୁକୁର

ଉତ୍ତର ପ୍ରଦେଶ ବୁନ୍ଦେଲଖଣ୍ଡର ଝାନ୍ସୀ ରାଜପଥରେ ରଓ୍ବେନ ଓ କକଓ୍ବାରା ଗାଁ ମଝିରେ କୁକୁର ମହାରାଣୀଙ୍କର ଏକ ମନ୍ଦିର ରହିଛି। ଯେଉଁଠି କଳା ମାଈ କୁକୁରର ମୂର୍ତ୍ତିକୁ ପୂଜା କରାଯାଉଛି। ପ୍ରତିଦିନ ଲୋକେ ପରିବାରର ମଙ୍ଗଳକାମନା କରି ଏଠାରେ ପୂଜା କରିବା ସହ ମହିଳାମାନେ ଜଳଲାଗି କରିଥାଆନ୍ତି। ବିଶ୍ୱାସ ହେଉ ବା ଅନ୍ଧ ବିଶ୍ୱାସ ଲୋକଙ୍କର ଏଠାରେ ଅନେକ ଥର ମନସ୍କାମନା ପୂରଣ ହୋଇଥାଏ ବୋଲି କୁହନ୍ତି। ରାସ୍ତା କଡରେ ଏକ ଚଉତରା ନିର୍ମାଣ କରାଯାଇ ସେଥିରେ ତାର ଜାଲି ଭିତରେ କଳା ମାଈ କୁକୁରର ମୂର୍ତ୍ତିଟିକୁ ପୂଜା କରାଯାଉଛି। କାଳେ ମୂର୍ତ୍ତିର କିଛି କ୍ଷତି ହେବ ସେଥିପାଇଁ ଏହାକୁ ତାର ଜାଲି ଘେରାଇ ଦିଆଯାଇଛି। ଲୋକ କଥା ଅନୁଯାୟୀ, ରଓ୍ବେନ ଓ କକଓ୍ବାରା ଗାଁରେ କୌଣସି ଭୋଜି ହେଲେ ଏକ ସ୍ବତନ୍ତ୍ର ବାଜା ବଜାଯାଇ ଲୋକଙ୍କୁ ନିମନ୍ତ୍ରଣ କରାଯାଇଥାଏ। ଆଉ ଏହି ବାଜାର ଶବ୍ଦ ଶୁଣି କୁକୁରମାନେ ମଧ୍ୟ ସେଠାରେ ପହଞ୍ଚିଥାନ୍ତି। ହେଲେ ଅତିତରେ ଦିନେ ଉଭୟ ଗାଁରେ ଭୋଜି ଥିବା ବେଳେ ଗୋଟିଏ କଳା କୁକୁର ଅସୁସ୍ଥତା କାରଣରୁ ବିଳମ୍ବରେ ପ୍ରଥମେ କକଓ୍ବାରା ଗାଁରେ ପହଞ୍ଚିଲା ବେଳକୁ ସେଠାରେ ଭୋଜି ସରି ଯାଇଥିଲା। ସେହିପରି ପୁଣିଥରେ ସେହିଦିନ ରଓ୍ବେନ ଗାଁରେ ମଧ୍ୟ କୁକୁରଟି ପହଞ୍ଚିବା ବେଳକୁ ଭୋଜି ସରି ଯାଇଥିଲା। ଶେଷରେ କୁକୁରଟି ନିରାଶ ହୋଇ ରାସ୍ତା କଡରେ ଏକ ନିଛାଟିଆ ସ୍ଥାନରେ ଶୋଇ ପଡିଥିଲା। ହେଲେ ପରଦିନ ତା’ର ମୃତ୍ୟୁ ହୋଇଥିବା ଗାଁ ଲୋକେ ଦେଖିଥିଲେ। ପରେ ଲୋକେ ସେହିଠାରେ ହିଁ କୁକୁରଟିକୁ ପୋତିଦେଇ ଏକ ମନ୍ଦିର ତିଆରି କରି ଦେଇଥିଲେ। ଯେଉଁଠି କଳା ମାଈ କୁକୁରର ଏକ ମୂର୍ତ୍ତି ମଧ୍ୟ କରାଯାଇଥିଲା। ହେଲେ ପରବର୍ତ୍ତି ଅବସ୍ଥାରେ ଲୋକେ ତାକୁ ଠାକୁରାଣୀ ଭାବି ପୂଜା କରି ଆସୁଛନ୍ତି।

Share