ଯେଉଁ ମନ୍ଦିରରେ ଲଙ୍କାରେ କରାଯାଏ ଅଭିଷେକ

ତାମିଲନାଡୁର ସବୁଠାରୁ ବଡ ଜିଲା ବିଲୁପୁରମରେ ବିଶ୍ୱ ପ୍ରସିଦ୍ଧ ଅରୋବିଲେ ଇଣ୍ଟରନ୍ୟାଶନାଶନାଲ ଟାଉନ୍‌ସିପ୍‌ ନିକଟରେ ଥିବା ଗାଁ ଇଧ୍ୱାଂଚବାଡିରେ ରହିଛି ବର୍ନା ମୁଥୁ ମରିୟମ୍ମମ ମନ୍ଦିର। ଏହା ବିଶ୍ୱ ପ୍ରସିଦ୍ଧ ମନ୍ଦିର କହିଲେ କିଛି ଭୁଲ୍‌ ହେବ ନାହିଁ। ତେବେ ଏଠାରେ ପାଳିତ ହେଉଥିବା ୮ ଦିନିଆ ଏକ ପର୍ବରେ ଲଙ୍କାରେ ଅଭିଷେକ କରାଯାଇଥାଏ। ଆଉ ଏହାକୁ ଦେଖିବାକୁ ବହୁ ସଂଖ୍ୟାରେ ଲୋକ ପହଞ୍ଚିଥାଆନ୍ତି। ସୁସ୍ଥ ଜୀବନ କାମନା କରିବାକୁ ବହୁ ସଂଖ୍ୟାରେ ଭକ୍ତ ଏଠାକୁ ଆସି ଥାଆନ୍ତି। ଲୋକକଥା ଅନୁଯାୟୀ, ଦୀର୍ଘ ୮୫ ବର୍ଷ ହେବ ଏହି ପରମ୍ପରା ଏଠାରେ ଚାଲି ଆସୁଛି। ମନ୍ଦିର ପରମ୍ପରା ଅନୁଯାୟୀ, ପ୍ରଥମେ ଏଠାରେ ଥିବା ୩ ବରିଷ୍ଠ ବ୍ୟକ୍ତି ହାତରେ କଙ୍କଣ ପିନ୍ଧି ଥାଆନ୍ତି ଓ ସାରାଦିନ ଉପବାସ ରଖିଥାଆନ୍ତି। ଏହାପରେ ଏମାନଙ୍କୁ ଲଣ୍ଡା କରି ଦିଆଯାଇଥାଏ। ଏହାପରେ ମନ୍ଦିର ପୂଜାରୀ ଏମାନଙ୍କୁ ଦେବତା ଭଳି ପୂଜା କରିଥାଆନ୍ତି। ପରେ ଏମାନଙ୍କୁ ବିଭିନ୍ନ ସାମଗ୍ରୀରେ ଅଭିଷେକ କରାଯାଇଥାଏ। ଏଥିରେ ରହିଥାଏ ସୁବାସିତ ଚନ୍ଦନ, ଫୁଲ ଇତ୍ୟାଦି। ହେଲେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ଶେଷରେ ଏମାନଙ୍କୁ ଲଙ୍କାରେ ଅଭିଷେକ କରାଯାଏ। ପ୍ରଥମେ ଏମାନଙ୍କୁ ଲଙ୍କାର ବଟା ଖାଇବାକୁ ଦିଆଯିବା ସହ ଏମାନଙ୍କ ଦେହରେ ଲଙ୍କାର ଲେପ ଦିଆଯାଇଥାଏ। ଏହାପରେ ମନ୍ଦିର ମଧ୍ୟରେ ଥିବା ଜଳନ୍ତା ଅଙ୍ଗାର ମଧ୍ୟରେ ଚାଲିବାକୁ ପଡିଥାଏ। ଆଉ ଶେଷରେ ନିମ୍ବ ପାଣିରେ ଏମାନଙ୍କୁ ଗାଧୋଇ ଦିଆଯାଇଥାଏ।

Share