Categories: ଜାତୀୟ

ଯୋଗୀଙ୍କ ଘୋଷଣା, ଫାଷ୍ଟ ଟ୍ରାକ୍‌ରେ ହେବ ଉନ୍ନାଓ ମାମଲାର ଶୁଣାଣି: ଅନ୍ୟପଟେ ଏହି ଘଟଣାକୁ ଟୁଇଟ କଲେ ମାୟାବତୀ

ଲକ୍ଷ୍ନୌ,୭।୧୨: ଉତ୍ତରପ୍ରଦେଶ ଉନ୍ନାଓରେ ଜୀବନ୍ତ ଜଳାଇଦେଇଥିବା ବଳାତ୍କାର ପୀଡ଼ିତାଙ୍କ ଦିଲ୍ଲୀ ସଫ୍‌ଦରଜଙ୍ଗ ହସ୍ପିଟାଲରେ ଶୁକ୍ରବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ପୀଡ଼ିତାଙ୍କ ମୃତ୍ୟୁରେ ସାରା ଦେଶ ମର୍ମାହତ ହୋଇପଡ଼ିଛି। ଇତିମଧ୍ୟରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଥିବା ବେଳେ ପୀଡ଼ିତାଙ୍କୁ ନ୍ୟାୟ ପାଇଁ ଦାବି କରାଯାଇଛି। ଏହି ମାମଲାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ପୀଡ଼ିତାଙ୍କୁ ନ୍ୟାୟ ଦେବାକୁ ଯାଇ ଏହି ମାମଲାର ଶୁଣାଣି ଫାଷ୍ଟ ଟ୍ରାକ୍‌ କୋର୍ଟରେ କରାଯିବ ବୋଲି ସେ କହିଛନ୍ତି। ଅପରପକ୍ଷରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଏସ୍‌ପି ସୁପ୍ରିମୋ ମାୟାବତି ଏନେଇ ପ୍ରତିକ୍ରିୟା ରଖିଛନ୍ତି। ସେ ଟୁଇଟ କରି କହିଛନ୍ତି, ପୀଡ଼ିତାଙ୍କ ମୃତ୍ୟୁ ଅତ୍ୟନ୍ତ ଦୁଃଖଦାୟକ। ପୀଡ଼ିତାଙ୍କ ପରିବାର ଲୋକଙ୍କୁ ସମବେଦନା ଜଣାଇବା ସହ ଏଭଳି ସ୍ଥିତିରେ ବିଏସ୍‌ପି ତାଙ୍କ ସହ ରହିଛି ବୋଲି ସେ କହିଛନ୍ତି। ଏଥିସହ ଉକ୍ତ ପରିବାରଙ୍କୁ ନ୍ୟାୟ ଦେବା ପାଇଁ ରାଜ୍ୟ ସରକାର ନିର୍ଦ୍ଧାରିତ ସମୟରେ ବା ତୁରନ୍ତ ଅଭିଯୁକ୍ତଙ୍କ ପାଇଁ ଫାଶି ଆଇନ ଆଣନ୍ତୁ। ଯାହାଫଳରେ ଅଭିଯୁକ୍ତଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେବ ବୋଲି ମାୟାବତି କହିଛନ୍ତି।

Share