ଯୋଗ୍ୟ ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲକର: ମନ୍ତ୍ରୀ

ଭୁବନେଶ୍ୱର, ୧୬ା୫(ବ୍ୟୁରୋ): କରୋନା ମୁକାବିଲା ଲାଗି ସାରା ରାଜ୍ୟରେ ଲକ୍‌ଡାଉନ ବଳବତ୍ତର ରହିଛି। ଜନସାଧାରଣଙ୍କ ଖାଦ୍ୟ ନିରାପତ୍ତାକୁ ଦୃଷ୍ଟିରେ ରଖି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅଧିକ ନୂତନ ହିତାଧିକାରୀଙ୍କୁ ସାମିଲ କରାଯାଇଛି। ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ପାଇଁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତ୍ୟେକ ଜିଲା ପାଇଁ ଧାର୍ଯ୍ୟ ଲକ୍ଷ୍ୟ ହିସାବରେ ଯୋଗ୍ୟ ହିତାଧିକାରୀଙ୍କୁ ସାମିଲ କରି ରାଶନ ସାମଗ୍ରୀ ତୁରନ୍ତ ଯୋଗାଇଦେବା ପାଇଁ ମନ୍ତ୍ରୀ ସ୍ବାଇଁ କହିଛନ୍ତି। ଏଥିସହିତ କୋଭିଡ୍‌-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ବାହାର ରାଜ୍ୟରୁ ଆସୁଥିବା ପ୍ରବାସୀମାନଙ୍କ ମଧ୍ୟରେ ଯୋଗ୍ୟଙ୍କୁ ମଧ୍ୟ ଏଥିରେ ସାମିଲ କରିବା ପାଇଁ ମନ୍ତ୍ରୀ ସ୍ବାଇଁ କହିଛନ୍ତି। ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ମାର୍ଚ୍ଚ ୨୧ରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟର ୮୬,୨୬୮ଟି ପରିବାରର ୨ଲକ୍ଷ ୩୭ହଜାର ୧୨୧ ନୂତନ ହିତାଧିକାରୀଙ୍କୁ ସାମିଲ କରାଯାଇଛି।
ଏହି ପ୍ରକ୍ରିୟା ଚାଲୁ ରହିଥିବାବେଳେ ଧାର୍ଯ୍ୟଲକ୍ଷ୍ୟ ଅନୁଯାୟୀ ଯୋଗ୍ୟ ହିତାଧିକାରୀ ସାମିଲ ପ୍ରକ୍ରିୟାକୁ ଶେଷ କରିବା ପାଇଁ ମନ୍ତ୍ରୀ ସ୍ବାଇଁ କହିଛନ୍ତି। ୯ ଜିଲାର ଅଧିକ ହିତାଧିକାରୀଙ୍କୁ ସାମିଲ କରାଯାଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ରାଶନ କାର୍ଡଧାରୀଙ୍କୁ ଆଗୁଆ ୩ ମାସର ରାଶନ ସାମଗ୍ରୀ ଏକକାଳୀନ ପ୍ରଦାନ ପ୍ରକ୍ରିୟାରେ ଏ ପର୍ଯ୍ୟନ୍ତ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ମୋଟ ୯୨ ଲକ୍ଷ ୬୦ ହଜାର ୮୮୫ କାର୍ଡଧାରୀ ପରିବାରକୁ ଚାଉଳ ଓ ଗହମ ଯୋଗାଇ ଦିଆଯାଇଛି।

Share