‘ଯୋଗ୍ୟ ହିତଧିକାରୀଙ୍କୁ ରାଶନ କାର୍ଡ ମିଳୁନି’

ସଜନାଗଡ଼,୧୬।୪(ଡି.ଏନ.ଏ.)- ବାଲେଶ୍ୱର ଜିଲା ନୀଳଗିରିର ପୂର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀ ଗୁରୁବାର ପୂର୍ବାହ୍ନ ୧୧ଟା ସମୟରେ ରାଶନକାର୍ଡ଼ ସମ୍ବନ୍ଧୀୟ ଏକ ଦାବିପତ୍ର ନୀଳଗିରିର ଉପଜିଲାପାଳ ହରିଶ୍ଚନ୍ଦ୍ର ଜେନାଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ଘଟଣାରୁ ପ୍ରକାଶ, ନୀଳଗିରି ବ୍ଲକ ଏକ ଆଦିବାସୀ ବହୁଳ ଅଞ୍ଚଳ। ଆଜିବି ନୀଳଗିରିର  ବହୁ ପରିବାର ଦାରିଦ୍ର୍ୟ ସୀମାରେଖା ତଳେ ରହିଛନ୍ତି। କିନ୍ତୁ ସେମାନେ କୌଣସି ସୁବିଧା ପାଇପାରୁ ନାହାନ୍ତି। ବର୍ତ୍ତମାନ ବିଶ୍ୱବ୍ୟାପୀ ମହାମାରୀ କରୋନା ଭୂତାଣୁ ଏକ ଚିନ୍ତାଜନକ ବିଷୟ ସୃଷ୍ଟି କରିଥିବାବେଳେ ସାମୂହିକ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ନୀଳଗିରି ନିର୍ବାଚନମଣ୍ଡଳୀର ଗରିବ ପରିବାରକୁ ସହଯୋଗ ପାଇଁ ଷଡ଼ଙ୍ଗୀ ଉକ୍ତ ଦାବିପତ୍ର ପ୍ରଦାନ କରିଛନ୍ତି। ଉକ୍ତ ଦାବିପତ୍ରରେ ସେ ରାଶନ କାର୍ଡ଼ଧାରୀଙ୍କୁ ୩ ମାସର ଆଗୁଆ ରାଶନ ସାମଗ୍ରୀ ସହ ନୂତନ ରାଶନ କାର୍ଡ଼ଧାରୀ ଚୟନ, ଉଜ୍ଜ୍ୱଳା ଗ୍ୟାସ୍‌ ଏବଂ କନ୍‌ଷ୍ଟ୍ରକ୍‌ସନ୍‌ର କର୍ମଚାରୀମାନଙ୍କୁ ସାହାଯ୍ୟ ପାଇଁ ସପ୍ତାହେ ମଧ୍ୟରେ ପଦକ୍ଷେପ ନେବାକୁ ଉଲ୍ଲେଖ କରିଛନ୍ତି।