ଯୌତୁକ ଜନିତ ବଧୂହତ୍ୟା ମାମଲା: ଧରମ ମା’, ପୁଅଙ୍କୁ ଆଜୀବନ କାରାଦଣ୍ଡାଦେଶ

କୁଜଙ୍ଗ,୫ା୩(ଡି.ଏନ.ଏ.): ଏକ ଯୌତୁକଜନିତ ବଧୂହତ୍ୟା ମାମଲାର ବୁଧବାର ରାୟ ପ୍ରକାଶ ପାଇଛି। କୁଜଙ୍ଗ ଅତିରିକ୍ତ ଜିଲା ଓ ଦୌରାଜଜ ପ୍ରଣବ କୁମାର ରାଉତରାୟ ମାମଲାର ବିଚାର କରି ଅଭିଯୁକ୍ତ କୁଜଙ୍ଗ ଥାନା ଅନ୍ତର୍ଗତ ଗୋପିଆକୁଦ ଅଞ୍ଚଳର ଧରମ ମା’ ଓ ଧରମ ପୁଅକୁ ଆଜୀବନ କାରାଦଣ୍ଡାଦେଶ ଦେଇଛନ୍ତି। ଏଥିସହିତ ୧୦ ହଜାର ଟଙ୍କା ଜରିମାନା ଆଦାୟ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟେ ଅତିରିକ୍ତ ୩ ମାସ ଜେଲଦଣ୍ଡାଦେଶ ଭୋଗିବାକୁ ରାୟରେ ଶୁଣାଇଛନ୍ତି। ରାୟ ପ୍ରକାଶ ପାଇବାପରେ ପୀଡ଼ିତା ପରିବାର ସତ୍ୟର ଜୟ ହେଲା ବୋଲି ପ୍ରତିକ୍ରିୟାରେ କହିଛନ୍ତି।
ସୂଚନା ଅନୁସାରେ, କୁଜଙ୍ଗ ଥାନା ଅଧୀନ ବାଲିଆ ଗ୍ରାମର ଦିବାକର ବେହେରାଙ୍କ ଝିଆରୀ ମାମିନାଙ୍କ ୨୦୧୫ ଜୁଲାଇ ୧୮ରେ ଗୋପିଆକୁଦ ଅଞ୍ଚଳର ରାମଚନ୍ଦ୍ର ରାଉତଙ୍କ ସହିତ ବୈଦିକ ରୀତିରେ ବିବାହ ହୋଇଥିଲା। ବିବାହ ସମୟରେ କନ୍ୟାପକ୍ଷରୁ ବରପକ୍ଷର ଦାବି ମୁତାବକ ଯୌତୁକ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଶାଶୁଘର ଲୋକେ ଅଧିକ ଯୌତୁକ ଆଣିବାକୁ ମାମିନାଙ୍କ ଉପରେ ଚାପ ପକାଇଥିଲେ। ଏପରି କି ତାଙ୍କୁ ଶାରୀରିକ ଏବଂ ମାନସିକ ନିର୍ଯାତନ ଦେଉଥିଲେ। ୨୦୧୫ ଅକ୍ଟୋବର ୬ରେ ରାମଚନ୍ଦ୍ର ଏବଂ ତାଙ୍କ ଧରମ ମା’ ମିନୀ ସାହୁ ମାମିଙ୍କୁ କିରୋସିନ ଢାଳି ପୋଡ଼ି ହତ୍ୟା କରିଥିଲେ। ସରକାରଙ୍କ ପକ୍ଷରୁ ଅତିରିକ୍ତ ପବ୍ଲିକ ପ୍ରସିକ୍ୟୁଟର ଦେବାଶିଷ କଣ୍ଠ ମାମଲା ପରିଚାଳନା କରୁଥିଲେ।

Share