ଯୌତୁକ ନିର୍ଯାତନା ଅଭିଯୋଗରେ ସ୍ବାମୀ କୋଟ ଚାର୍ଲାଣ

ଧର୍ମଶାଳା/ଜେନାପୁର,୨୭।୮(ଡି.ଏନ୍‌.ଏ.)- ଧର୍ମଶାଳା ବ୍ଲକ ଜେନାପୁର ଥାନା ଅନ୍ତର୍ଗତ ଗଡ଼ମଧୂପୁର ପଞ୍ଚାୟତର ପନ୍ତୁରୀ ଗ୍ରାମରେ ସ୍ତ୍ରୀକୁ ଯୌତୁକ ନିର୍ଯାତନା ଦେବା ଅଭିଯୋଗରେ ପୋଲିସ ସ୍ବାମୀକୁ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ସ୍ବାମୀ ଜଣଙ୍କ ରଞ୍ଜନ କୁମାର ସାହୁ (୩୨)। ପ୍ରକାଶ ଯେ, ପନ୍ତୁରୀ ଗ୍ରାମର ରଞ୍ଜନ ଏକ ବର୍ଷ ତଳେ ଢେଙ୍କାନାଳର ସୁଭଦ୍ରା ସାହୁଙ୍କୁ ବିବାହ କରିଥିଲେ। ବିବାହ ପରଠାରୁ ସେ ଅଧିକ ଯୌତୁକ ଦାବି କରି ସୁଭଦ୍ରାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଆସୁଥିଲେ। କିନ୍ତୁ ରବିବାର ରାତିରେ ଏହି ଘଟଣା ଉଗ୍ରରୂପ ନେଇଥିଲା। ରଞ୍ଜନ ସୁଭଦ୍ରାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଗ୍ରାମବାସୀ ପହଞ୍ଚତ୍ ତାଙ୍କୁ ଉଦ୍ଧାର କରିଥିଲେ। ସୋମବାର ସୁଭଦ୍ରା ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା (ନଂ.୧୯୨/୧୯) ରୁଜୁକରି ରଞ୍ଜନଙ୍କୁ ଗିରଫ କରିଥିଲା।