ଯାଜପୁର ଟାଉନ,୧୧।୧୨(ଡି.ଏନ୍.ଏ.)- ଯାଜପୁର ସଦରଥାନା ଅନ୍ତର୍ଗତ ତୋରଡ ଗ୍ରାମରେ ଜନୈକା ନବବଧୁ କିରାସିନ ଢ଼ାଳି ନିଆଁରେ ପୋଡ଼ିହୋଇ ମୃତ୍ୟୁବରଣ କରିବା ଘଟଣାରେ ଅତିରିକ୍ତ ଜିଲା ଦୌରାଜଜ୍ ପ୍ରଶାନ୍ତ କୁମାର ନାୟକ ୪ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି। ୨୦୧୨ ଏପ୍ରିଲ ୧୦ତାରିଖରେ ଯାଜପୁର ସଦରଥାନା ଅନ୍ତର୍ଗତ ବଡ଼କୁଝାଲା ଗ୍ରାମର ଝୁଲଣ ଜେନାଙ୍କ ଝିଅ ଅମ୍ବିକା ମଳିକଙ୍କୁ ସ୍ବାମୀ ସୁନାକର ମଳିକ, ଶ୍ୱଶୁର ବିଷ୍ଣୁ ମଳିକ, ଶାଶୁ ମୁକ୍ତି ମଳିକ ଓ ନଣନ୍ଦ କବିତା ମଳିକ ମିଶି କିରୋସିନ ଢ଼ାଳି ପୋଡ଼ି ମାରି ଦେଇଥିଲେ। ଏନେଇ ଅମ୍ବିକାଙ୍କ ବାପଘର ଲୋକେ ଯାଜପୁର ସଦର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତିକରି ଆଇପିସି ଦଫା ୩୦୪(ଖ) / ୩୦୨ / ୩୪ ଓ ୪୯୮(କ) ଏବଂ ଯୌତୁକ ନିରୋଧ ଆଇନରେ ଏକ ମାମଲା( ନଂ. ୨୮/୨୦୧୨) ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଅତିରିକ୍ତ ଜିଲା ଦୌରାଜଜ୍ ପ୍ରଶାନ୍ତ କୁମାର ନାୟକ ୨୫ଜଣ ସାକ୍ଷୀଙ୍କ ସାକ୍ଷ୍ୟକୁ ଭିତ୍ତିକରି ସୋମବାର ପ୍ରମାଣ ଅଭାବରୁ ସମସ୍ତ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି। ଅଭିଯୁକ୍ତଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ଦିପ୍ତୀରଞ୍ଜନ ମହାନ୍ତି ମାମଲା ପରିଚାଳନା କରିଥିଲେ।