ରାସୋଳ,୨୨।୧(ଡି.ଏନ୍.ଏ.): ଢେଙ୍କାନାଳ ଜିଲା ରାସୋଳ ଥାନା କଲୋନୀ ସାହିରେ ଯୌତୁକ ପାଇଁ ଜଣେ ମହିଳାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତ ମହିଳା ହେଲେ ଆରତୀ ସାହୁ(୧୭)। ରାସୋଳ ଥାନା ପୋଲିସ କାଟଖୁମ୍ପା ଗ୍ରାମର ଟିକିରା ପାହାଡ଼ ତଳୁ ବୁଧବାର ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।
ସୂଚନାଯୋଗ୍ୟ, ୭ ମାସ ତଳେ କଲୋନୀ ସାହିର ସୁଜିତ ସାହୁ(ମାମୁଲି) ତେଲୁଭୂଇଁ ସରୁନାଳୀ ଗ୍ରାମର ଆରତୀଙ୍କୁ ପ୍ରେମ ବିବାହ କରିଥିଲେ। ବିବାହ ସମୟରେ ଆରତୀଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଯୌତୁକ ଦାବି କରାଯାଇଥିଲା। ହେଲେ ତାଙ୍କ ପରିବାର ଗରିବ ଥିବାରୁ ୧ ଲକ୍ଷ ଟଙ୍କା ଦେଇଥିବା ବେଳେ ଆଉ ବାକି ଟଙ୍କା ବର୍ଷକ ମଧ୍ୟରେ ଦେବା ପାଇଁ କଥା ଛିଣ୍ଡିଥିଲା। ହେଲେ ବିବାହ ପରେ ଆରତୀଙ୍କୁ ଶାଶୁଘର ଲୋକେ ଯୌତୁକ ପାଇଁ ନିର୍ଯାତନା ଦେବା ସହ ମାରପିଟ କରୁଥିଲେ। ଏପରିକି ୧୫ ଦିନ ପୂର୍ବେ ତାଙ୍କୁ ମାରପିଟ କରାଯାଇଥିବାରୁ ସେ ବାପଘରକୁ ଚାଲିଯାଇଥିଲେ। ସେଠାରୁ ସୁଜିତ ତାଙ୍କୁ ଆଣି ଆସିଥିବା ଆରତୀଙ୍କ ମା’ ଅହଲ୍ୟା ସାହୁ କହିଛନ୍ତି। ହେଲେ ସେ ମଙ୍ଗଳବାର ଝିଅଙ୍କୁ ହତ୍ୟା କରିି ସ୍ବାମୀ ଓ ଶାଶୁ ଅଟୋରେ ନେଇ ଯାଉଥିବା ନେଇ ଏକ ଫୋନ କଲ୍ ପାଇଥିଲେ। ସେ ଯଥାଶୀଘ୍ର ଆସି ଆରତୀଙ୍କ ଶାଶୁଘରେ ପହଞ୍ଚି କେହି ନ ଥିବା ଦେଖିବାକୁ ପାଇଥିଲେ। ସାହି ପଡ଼ିଶାଙ୍କୁ ଡାକି ବିଫଳ ହେବା ପରେ ସେ ରାସୋଳ ଥାନାରେ ଝିଅଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ମାମଲା ରୁଜୁ କରି ଶ୍ୱଶୁରଙ୍କୁ ଅଟକ ରଖିଥିଲା। ପରେ ସକାଳେ ଖବର ପାଇ ରାସୋଳ ଥାନା ପୋଲିସ ସ୍ବାମୀ ସୁଜିତକୁ ଗିରଫ କରିବାରେ ସଫଳ ହୋଇଥିଲା। ଗିରଫ ପରେ ସୁଜିତଙ୍କ କହିବାନୁଯାୟୀ ପୋଲିସ ଉକ୍ତ ପାହାଡ଼ ତଳୁ ମୃତଦେହକୁ ଜବତ କରିଛି। ଫରେନ୍ସିଂ ଟିମ୍ ଢ଼େଙ୍କାନାଳ, ଏକ୍ଜିକ୍ୟୁଟିଭ ମାଜିଷ୍ଟ୍ରେଟ୍, ରାସୋଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ହିନ୍ଦୋଳ ପଠାଇଥିବା ଜଣାପଡ଼ିଛି।