ପାଟପୁର,୨୯ା୫- ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ବତାଗଡ ଗ୍ରାମର ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ସେ ହେଲେ ଉକ୍ତ ଗ୍ରାମର ରାଧା ଗୌଡ଼ (୨୪)। ଶାଶୁଘର ଲୋକେ ବିଷ ପିଆଇ ମାରିଦେଇଥିବା ରାଧାଙ୍କ ବାପା ହରି ପାତ୍ର ଶୁକ୍ରବାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ମାମଲା (ନଂ.୧୨୧/୨୦) ରୁଜୁ କରି ରାଧାଙ୍କ ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି। ଅନ୍ୟପକ୍ଷେ ରାଧା ମାନସିକ ଭାରସାମ୍ୟ ହରାଇ ଗୁରୁବାର ବିଷ ପିଇ ଦେଇଥିଲେ। ତାଙ୍କୁ ତୁରନ୍ତ ବ୍ରହ୍ମପୁର ବଡ ମେଡିକାଲ ନିଆଯାଇଥିଲା। ସେଠାରେ ଚିକିତ୍ସା ଚାଲିଥିବାବେଳେ ଶୁକ୍ରବାର ମୃତ୍ୟୁ ଘଟିଥିବା ଶାଶୁଘର ଲୋକେ କହିଛନ୍ତି। ପ୍ରକାଶ ଯେ, ଗଜପତି ଜିଲା ଚାନ୍ଦିପୁଟ ଗ୍ରାମର ରାଧା ପାତ୍ର ୪ ବର୍ଷ ପୂର୍ବେ ପାଟପୁର ଥାନା ବତାଗଡ ଗ୍ରାମର ରିଣ୍ଟୁ ଗୌଡ଼ଙ୍କୁ ବିବାହ କରିଥିଲେ। ବିବାହର ୬ମାସ ପରେ ଶାଶୁଘର ଲୋକେ ରାଧାଙ୍କୁ ନିର୍ଯାତନା ଦେଉଥିବା ତାଙ୍କ ବାପା ପୋଲିସକୁ କହିଛନ୍ତି। ପାଟପୁର ପୋଲିସ ବ୍ରହ୍ମପୁର ବଡ଼ ମେଡିକାଲରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଛେଦ ନିମନ୍ତେ ପଠାଇଥିବା ପାଟପୁର ଥାନା ଆଇଆଇସି ଅଜୟ କୁମାର କହିଛନ୍ତି।