ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ: ସ୍ବାମୀ ଗିରଫ

ଧାମନଗର, ୧।୧୦ (ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ଥାନା ଅଧୀନ ବିରିଗଡିଆ ଗ୍ରାମର ବିମଳା ଘଡ଼ାଇ ନାମ୍ନୀ ଜଣେ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ତାଙ୍କ ଝିଅକୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ମୃତା ବିମଳାଙ୍କ ବାପା ମହେଶ୍ୱର ଦାସ ଧାମନଗର ଥାନାରେ ଅଭିଯୋଗ କରିଛନ୍ତି। ଏ ନେଇ ପୋଲିସ ଏକ ହତ୍ୟା ମାମଲା(ନଂ. ୧୯୬/୧୯) ରୁଜୁ କରି ସୋମବାର ବିମଳାଙ୍କ ସ୍ବାମୀ ସାନୁ ଘଡାଇଙ୍କୁ ଗିରଫ କରିଛି।
ପୋଲିସ ସୂଚନା ଅନୁଯାୟୀ, ମୃତା ବିମଳାଙ୍କ ବାପା ଭଦ୍ରକ ଥାନା ଅଧୀନ ରାମପୁର ଅଳଉତି ଗ୍ରାମର ମହେଶ୍ୱର ଥାନାରେ ଅଭିଯୋଗ କରିଛନ୍ତି ଯେ, ୨୦୧୪ ଜୁନ୍‌ ୫ରେ ବୈଦିକ ରୀତିରେ ବିମଳା ଓ ସାନୁଙ୍କ ବିବାହ ହୋଇଥିଲା। ସେତେବେଳେ ଯୌତୁକ ଦିଆଯାଇଥିଲା। କିଛିଦିନ ପରେ ଅଧିକ ଯୌତୁକ ଦାବି କରି ଶାଶୁଘର ପକ୍ଷରୁ ବିମଳାଙ୍କୁ ନିର୍ଯାତନା ଦିଆଯାଉଥିଲା। କେତେକ ଘଟଣାର ସମାଧାନ ମଧ୍ୟ ହୋଇଥିଲା। କିଛିଦିନ ପୂର୍ବରୁ ୫୦ ହଜାର ଟଙ୍କା ବାପଘରୁ ଆଣିବାକୁ ବିମଳାଙ୍କ ଶାଶୁ, ସ୍ବାମୀ ଓ ଦିଅର ଦାବି କରିବା ସହ ଅକଥନୀୟ ଅତ୍ୟାଚାର ଆରମ୍ଭ କରିଥିଲେ। ଏପରିକି ତାଙ୍କୁ ବାହାରକୁ ଛାଡୁ ନ ଥିଲେ କି ବାପଘର ସହିତ କୌଣସି ସମ୍ପର୍କ କରାଇ ଦେଉ ନ ଥିଲେ। ସେମାନେ ସମସ୍ତେ ଭୁବନେଶ୍ୱରରେ ରହୁଥିବା ବେଳେ ଗତ ଶନିବାର କ୍ୟାପିଟାଲ ହସ୍‌ପିଟାଲରେ ବିମଳାଙ୍କ ମୃତ୍ୟୁ ଘଟିଥିବା ସେ ଖବର ପାଇଥିଲେ। ପରେ ସେମାନେ ମୃତଦେହ ନିଜ ଘରକୁ ଆଣିଥିଲେ। ରବିବାର ମହେଶ୍ୱରଙ୍କ ଅଭିଯୋଗ କ୍ରମେ ପୋଲିସ ମାମଲା ରୁଜୁ କରି ସାନୁଙ୍କୁ ଗିରଫ ପୂର୍ବକ କୋର୍ଟ ଚାଲାଣ କରିଛି।

Share