ଯୌତୁକ ପାଇଁ ବଧୂହତ୍ୟା: ସ୍ବାମୀ ଗିରଫ

ରେମୁଣା, ୨୬।୪(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମରେ ଜଣେ ମହିଳାଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ତାଙ୍କ ବାପା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। କଟକ ବଡ଼ ଡାକ୍ତରଖାନାରୁ ମହିଳାଙ୍କ ମୃତଦେହ ନେଇ ଆମ୍ବୁଲାନ୍ସ ଯୋଗେ ଫେରୁଥିବାବେଳେ ରାସ୍ତାରୁ ପୋଲିସ ତାଙ୍କ ସ୍ବାମୀଙ୍କୁ ଗିରଫ କରିଛି।
ଅଭିଯୋଗ ଅନୁଯାୟୀ, ରେମୁଣା ବ୍ଲକ ଖନ୍ତାପଡ଼ା ଥାନା ବିରୁଆଁ ପଞ୍ଚାୟତ ଆମ୍ବଗଳି ଗ୍ରାମର ପିତାମ୍ବର ପଣ୍ଡାଙ୍କ ସାନଝିଅ ଦେବସ୍ମିତା ୨୦୧୮ ଫେବୃୟାରୀ ୨୩ତାରିଖରେ ବୈଦିକ ରୀତିରେ ନୀଳକଣ୍ଠପୁର ଗ୍ରାମର ସୁଧାଂଶୁ କରଙ୍କୁ ବିବାହ କରିଥିଲେ। ସେବେଠାରୁ ଶାଶୁଘର ଲୋକେ ଅଧିକ ଯୌତୁକ ଦାବି କରି ଝିଅକୁ ବାରମ୍ବାର ନିର୍ଯାତନା ଦେଇଆସୁଥିଲେ। ଏଥିପାଇଁ ୩ରୁ ଅଧିକ ଥର ବାପଘର ଲୋକେ ଯାଇ ମିଳାମିଶା କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା। ଗତ ୨୪ ତାରିଖ ବିଳମ୍ବିତ ରାତିରେ ପାରିବାରିକ ଗଣ୍ଡଗୋଳରୁ ଦେବସ୍ମିତା ବିଷ ପିଇ ଦେଇଥିଲେ। ପ୍ରଥମେ ତାଙ୍କୁ ଗୋପାଳପୁର ଡାକ୍ତରଖାନା ଓ ପରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ୨୫ ତାରିଖ ରାତି ସାଢେ ଗୋଟାଏ ବେଳେ କଟକ ବଡ଼ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ପୋଲିସ କଟକରୁ ମୃତଦେହ ନେଇ ଫେରୁଥିବା ବେଳେ ସ୍ବାମୀ ସୁଧାଂଶୁ କରଙ୍କୁ ଗିରଫ କରି ଅଧିକ ତଦନ୍ତ କରିଛି। ତାଙ୍କର ଏକ ଦେଢ଼ବର୍ଷର ଶିଶୁକନ୍ୟା ଅଛି।