ଯୌତୁକ ପାଇଁ ବୋହୂଙ୍କୁ ପୋଡ଼ି ହତ୍ୟା ଉଦ୍ୟମ: ସ୍ବାମୀ, ଶାଶୁ କୋର୍ଟ ଚାଲାଣ

କୋରେଇ,୩୧।୧୦(ସ୍ବ.ପ୍ର)- କୋରେଇ ଥାନା ଗୌରପୁର ପଞ୍ଚାୟତର ଜଳନ୍ଦା ଗ୍ରାମରେ ଅଧିକ ଯୌତୁକ ଦାବିକରି ଶାଶୁଘର ଲୋକେ ବୋହୂଙ୍କୁ ନିର୍ଯାତନା ଦେବା ସହ ପୋଡ଼ି ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲା (ନଂ.୨୩୭/୧୯) ରୁଜୁ କରିବା ସହ ସ୍ବାମୀ ସୁରେଶ ସାହୁ (୪୦) ଓ ଶାଶୁ ଚଞ୍ଚଳା ସାହୁ(୬୦)ଙ୍କୁ ଗୁରୁବାର ଗିରଫ କରି କୋର୍ଟଚାଲାଣ କରିଛି। ପ୍ରକାଶ ଯେ, ଭଦ୍ରକ ଜିଲା ଭଣ୍ଡାରୀ ପୋଖରୀ ଥାନା ଦକ୍ଷିଣ ବାଡ ଗ୍ରାମର ବିଳାସ ଦାସଙ୍କ ଅଭିଯୋଗ ମୁତାବକ, ତାଙ୍କ ଝିଅ ଲିପ୍ସିତାଙ୍କର ଜଳନ୍ଦା ଗ୍ରାମର ଶତ୍ରୁଘନ ସାହୁଙ୍କ ପୁଅ ସୁରେଶଙ୍କ ସହ ବିବାହ ହୋଇଥିଲା। ଗତ ୨୩ ତାରିଖ ଲିପ୍ସିତାଙ୍କୁ ତାଙ୍କ ଶାଶୁଘର ଲୋକେ ଅଧିକ ଯୌତୁକ ଦାବି କରି ତାଙ୍କ ଦେହରେ ନିଅଁା ଲଗାଇ ଦେଇଥିଲେ। ଫଳରେ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ସେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।