ଯୌତୁକ ଯୋଗୁ ବିବାହ ଭାଙ୍ଗିବାରୁ ଘର ଛାଡ଼ି ବିବାହ କଲେ ଯୁବତୀଯୁବକ

କୁଶୀନଗର, ୩୦ା୧: ସମାଜ ପାଇଁ ଘାତକ ସାଜିଥିବା ଯୌତୁକ ଭଳି କୁପ୍ରଥାର ପ୍ରଚଳନକୁ ବନ୍ଦ କରିବା ପାଇଁ ବର୍ତ୍ତମାନ ଲୋକେ ସ୍ବର ଉତ୍ତୋଳନ କରିବା ଆରମ୍ଭ କଲେଣି। କିନ୍ତୁ କୌଣସି ସୁଫଳ ମିଳୁନାହିଁ। ଏବେ ବି ଏହି କୁପ୍ରଥା ସମାଜରେ ଚାଲିଛି। ଉତ୍ତର ପ୍ରଦେଶର କୁଶୀନଗରରେ ଯୌତୁକ ପାଇଁ ଏକ ବିବାହ ଭାଙ୍ଗିଯାଇଛି। କିନ୍ତୁ ସବୁଠୁ ରୋଚକ କଥା ହେଉଛି, ଯେଉଁ ଯୁବକ-ଯୁବତୀଙ୍କ ବିବାହ ହେବାର ଥିଲା, ସେମାନେ ଦୁହେଁ ଘର ଛାଡ଼ି ପରସ୍ପରର ହାତ ଧରିଛନ୍ତି। ସୂଚନାଯୋଗ୍ୟ, କୁଶୀନଗର ଜିଲା ପଟେହେରଓ୍ବା ଥାନା ଅଧୀନ ଏକ ଗାଁର ଜଣେ ଯୁବକଙ୍କ ବିବାହ ଅନ୍ୟ ଏକ ଗାଁରେ ସ୍ଥିର ହୋଇଥିଲା। ବିବାହ ପାଇଁ ତିଥି ମଧ୍ୟ ନିର୍ଘଣ୍ଟ ହୋଇ ସାରିଥିଲା। ଉଭୟ ପରିବାର ବିବାହ ପାଇଁ ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଥିଲେ। ସମ୍ପୃକ୍ତ ଯୁବତୀ ଯୁବକ ମଧ୍ୟ ଫୋନରେ କଥା ହେଉଥିଲେ। କିନ୍ତୁ ପର ମୁହୂର୍ତ୍ତରେ ଉଭୟ ପରିବାର ମଧ୍ୟରେ ଯୌତୁକକୁ ନେଇ ପାଟିତୁଣ୍ଡ ଲାଗିଥିଲା। ପରିସ୍ଥିତି ଏମିତି ହେଲା, ବିବାହ ଭାଙ୍ଗିଦେବାକୁ ମଧ୍ୟ ନିଷ୍ପତ୍ତି ନିଆଗଲା। ଏହାଜାଣି ସଂପୃକ୍ତ ଯୁବତୀଯୁବକ ଘର ଛାଡି ମନ୍ଦିରରେ ବିବାହ କରିଥିଲେ। ପରେ ଘରଲୋକଙ୍କୁ ଫୋନ ଜରିଆରେ ବିବାହ ସମ୍ପର୍କରେ ଜଣାଇଥିଲେ।

Share