ରକ୍ତଦାନରେ ସାମିଲ ହେଲେ ପୋଲିସ ଅଧିକାରୀ

ବାଲେଶ୍ୱର ଅଫିସ,୧୭।୪-ବାଲେଶ୍ୱର ସଦର ବ୍ଲକ ଅଧୀନ ଗେଙ୍ଗୁଟି ପଞ୍ଚାୟତର ପଳାସପୁର ୟୂଜିଏମି ସ୍କୁଲଠାରେ ଆଚ୍ଛା ସଙ୍ଗଠନ ସହାୟତାରେ ଶୁକ୍ରବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଅଭ୍ୟୁଦମ୍‌ ଏବଂ ଆଚ୍ଛା ସଙ୍ଗଠନର ମେଡ଼ିକାଲ କୋଡିନେଟର୍‌ ଉଦୟଭାନୁ ନାୟକଙ୍କ ତତ୍ତ୍ୱାବଧାନ ଓ ଗେଙ୍ଗୁଟି ପଞ୍ଚାୟତ ସରପଞ୍ଚ ବିରୁପାକ୍ଷ ମହାପାତ୍ରଙ୍କ ସହଯୋଗରେ ଅନୁଷ୍ଠିତ ଶିବିରରେ ମୋଟ୍‌ ୫୦ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଛି। ଶିବିରରେ ସଙ୍ଗଠନ ପକ୍ଷରୁ ପ୍ରଥମେ ସାବୁନ ଦ୍ୱାରା ଭଲ ଭାବେ ହାତ ଧୋଇବା ପାଇଁ ଦିଆଯିବା ପରେ ସାନିଟାଇଜରରେ ହାତକୁ ସଫା କରିବା ପାଇଁ ଦିଆଯାଇଥିଲା। ପରେ ବ୍ଲଡ଼ବ୍ୟାଙ୍କ ଅଫିସର ଡା. ମହେଶ କୁମାର ବିଶ୍ୱାଳ, ଦୁଇ ଲ୍ୟାବଟେଷ୍ଟ ଅଧିକାରୀ ଜଗନ୍ନାଥ ପଣ୍ଡା ଓ ସାୟଦ ଦିଲଦାର, ଆଟେଣ୍ଡାଣ୍ଟ ହେମଲତା ସେଠୀ ଓ ବିଜୟ କୁମାର ବଳ ଦୂରତା ରକ୍ଷା କରି ରକ୍ତଦାତାମାନଙ୍କଠାରୁ ରକ୍ତ ସଂଗୃହ କରିଥିଲେ। ସଦର ଥାନାରେ କାର୍ଯ୍ୟରତ ପୋଲିସ ସବ୍‌ଇନ୍ସପେକ୍ଟର ସୁବ୍ରତ ବେହୁରା ସଙ୍ଗଠନର ଏଭଳି ପଦକ୍ଷେପକୁ ସ୍ବାଗତ କରିବା ସହ ପ୍ରଥମେ ରକ୍ତଦାନ କରିଥିଲେ। କାର୍ଯ୍ୟକ୍ରମରେ ସଙ୍ଗଠନର ଆବାହକ ସୁଶାନ୍ତ ପରିଡ଼ା, ସଭାପତି ବିସ୍ମିତ ରଞ୍ଜନ ଦାସ, ସମ୍ପାଦକ ରଣଜିତ୍‌ କୁମାର ପୃଷ୍ଟି ଓ ଆସିଷ୍ଟାଣ୍ଟ ମେଡ଼ିକାଲ କୋଡ଼ିନେଟର ଅନ୍ତର୍ଯ୍ୟାମୀ ବେହେରା ପ୍ରମୁଖ ସହଯୋଗ କରିଥିଲେ।