Categories: ଜାତୀୟ

ରକ୍ତ ଦାନ କରି ଗୋଟିଏ କୁକୁରକୁ ବଞ୍ଚାଇଲା ଆଉ ଏକ କୁକୁର

ନରସିଂହପୁର,୨୬।୭: ମଧ୍ୟ ପ୍ରଦେଶର ନରସିଂହପୁର ଅନ୍ତର୍ଗତ ସୈସରା ଗାଁରେ ରକ୍ତଦାନକୁ ନେଇ ଏକ ଭିନ୍ନ ଉଦାହରଣ ଦେଖିବାକୁ ମିଳିଛି। ମନୁଷ୍ୟ ରକ୍ତଦାନ କରିବା କଥା ସମସ୍ତେ ଜାଣିଥିବେ। ହେଲେ ଏଠାରେ ଗୋଟିଏ କୁକୁର ରକ୍ତଦାନ କରି ଏବେ ଉଦାହରଣ ସୃଷ୍ଟି କରିଛି। ସୂଚନା ଅନୁଯାୟୀ, ସୈସରା ଗାଁର ବନ୍ଦନା ଜାଟଓ୍ବଙ୍କର ୬ ବର୍ଷର ଜିମି ନାମକ ଏକ ଜର୍ମାନ ସେଫାର୍ଡ କୁକୁର ରହିଛି। କିଛିଦିନ ହେବ ଜିମି ଅସୁସ୍ଥ ହୋଇ ପଡିବା ସହ ସେ ଏନିମିଆ ବା ରକ୍ତହୀନତାର ଶିକାର ହୋଇଥିବା ପଶୁଚିକିତ୍ସକ କହିଥିଲେ। ଏଥିପାଇଁ ଜିମିକୁ ରକ୍ତର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ। ହେଲେ କିଛିଦିନ ଔଷଧ ଦେଇ ଏହାକୁ ଠିକ୍‌ କରିବାକୁ ଚେଷ୍ଟା କରାଯାଇଥିବା ବେଳେ ଏଥିରେ କୌଣସି ସୁଫଳ ହୋଇ ନ ଥିବା ଲକ୍ଷ୍ୟ କରାଯାଇଥିଲା। ଏହାପରେ ବନ୍ଦନା କୋସମଖେଡରେ ରହୁଥିବା ମହେନ୍ଦ୍ର ପ୍ରତାପ ସିଂଙ୍କ ସହ ଯୋଗାଯୋଗ କରିଥିଲେ। କାରଣ ତାଙ୍କର ଲିୟୋ ନାମକ ଏକ ଜର୍ମାନ ସେଫାର୍ଡ କୁକୁର ରହିଥିଲା। ଲିୟୋଠାରୁ ରକ୍ତ ଆଣି ଜିମିକୁ ଦେବାକୁ ଚେଷ୍ଟା କରିଥିଲେ ଘରୋଇ ପ୍ରାଣୀ ଚିକିତ୍ସକ। ଆଉ ଏହା ସଫଳ ମଧ୍ୟ ହୋଇଥିଲା। ଏହାର କିଛିଦିନ ପରେ ଏବେ ଲକ୍ଷ୍ୟ କରାଯାଇଛି କି ଏନିମିଆରେ ପୀଡିତ ଜିମି ଏବେ ପୂର୍ବ ଅପେକ୍ଷା ସୁସ୍ଥ ଅଛି।

Share