ଭୁବନେଶ୍ୱର,୨୯।୧ (ବ୍ୟୁରୋ):ଆଜି ବି ମାନବିକତା ବଞ୍ଚିରହିଛି। ଆଉ ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଆଦିବାସୀ ଅଧ୍ୟୁଷିତ ମାଲ୍କାନଗିରି ଜିଲାରେ। ଜଣେ ଗର୍ଭବତୀ ମହିଳାଙ୍କୁ ରକ୍ତ ଦେଇ ତାଙ୍କ ଜୀବନ ବଞ୍ଚାଇଛନ୍ତି ୧୦୮ ଆମ୍ବୁଲାନ୍ସର ଜଣେ ଫାର୍ମାସିଷ୍ଟ ସମୀର କୁମାର ତ୍ରିପାଠୀ। ଗର୍ଭବତୀ ମହିଳାଙ୍କ ଜୀବନ ବଞ୍ଚାଇ ମାନବିକତାର ପରିଚୟ ଦେଇଥିବା ସମୀରଙ୍କ ଏହି ମହତ୍ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ତାଙ୍କ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ରେ କହିଛନ୍ତି, ମାଲ୍କାନଗିରି ଖଇରପୁଟର ୧୦୮ ଆମ୍ବୁଲାନ୍ସ ଫାର୍ମାସିଷ୍ଟ ସମୀର ଜଣେ ପ୍ରସୂତିଙ୍କ ଜୀବନ ରକ୍ଷା ପାଇଁ ରକ୍ତଦାନ କରିବା ସହ ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନା ଆଣିବା ନିଃସ୍ବାର୍ଥପର ସେବା ଓ ମାନବିକତାର ପରିଚୟ। ତାଙ୍କର କର୍ତ୍ତବ୍ୟପରାୟଣତା ଏବଂ ନିଷ୍ଠାପର ସେବା ସମସ୍ତଙ୍କ ପାଇଁ ଉଦାହରଣ। ତାଙ୍କୁ ମୋର ସାଧୁବାଦ। ସୂଚନାଯୋଗ୍ୟ, ମାଥିଲି ବ୍ଲକ୍ ଅନ୍ତର୍ଗତ ବଡ଼ ରେଙ୍ଗାବେଡ଼ା ଗ୍ରାମର ରଘୁ ଦୁରୁଆଙ୍କ ସ୍ତ୍ରୀ ମଙ୍ଗୁଳିଙ୍କର ପ୍ରସବ ଯନ୍ତ୍ରଣା ହେବା ପରେ ତାଙ୍କୁ ନିକଟସ୍ଥ ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଏକ ଶିଶୁକୁ ଜନ୍ମ ଦେଇଥିଲେ। କିନ୍ତୁ ଅତ୍ୟଧିକ ରକ୍ତସ୍ରାବ ହେବାରୁ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଥିଲା। ମଙ୍ଗୁଳିଙ୍କର ଏ ପଜିଟିଭ୍ ରକ୍ତର ଆବଶ୍ୟକ ଥିଲାବେଳେ ଅର୍ଥ ଅଭାବରୁ ତାଙ୍କ ସ୍ବାମୀ ରକ୍ତ କିଣି ପାରି ନ ଥିଲେ। ତେବେ ଏ ସମ୍ପର୍କରେ ଖବରପାଇ ମାଲ୍କାନଗିରିସ୍ଥିତ ଖଇରପୁଟର ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ସମୀର କୁମାର ତ୍ରିପାଠୀ, ମଙ୍ଗୁଳିଙ୍କୁ ରକ୍ତଦାନ କରିବାକୁ ଆଗେଇ ଆସିଥିଲେ। ସମୀର ଠିକ୍ ସମୟରେ ମାଥିଲି ପହଞ୍ଚି ରକ୍ତ ଦେଇଥିଲେ ଓ ମଙ୍ଗୁଳିଙ୍କ ଜୀବନ ବଞ୍ଚାଇଥିଲେ। ରକ୍ତ ଦେବା ପରେ ମଙ୍ଗୁଳି ଏବେ ସୁସ୍ଥ ଅଛନ୍ତି। ମଙ୍ଗୁଳିଙ୍କୁ ଆବଶ୍ୟକ ସମୟରେ ରକ୍ତଦାନ କରି ତାଙ୍କ ଜୀବନ ବଞ୍ଚାଇଥିବାରୁ ସମୀର ଖୁବ୍ ପ୍ରଶଂସିତ ହୋଇଛନ୍ତି।