ରକ୍ତ ପରୀକ୍ଷାରୁ ଜାଣିହେବ ପୃଥୁଳତା

ଆଜିକାଲି ପୃଥୁଳତା ଅନ୍ୟତମ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ଭାବରେ ଉଭାହେଲାଣି। ଅବ୍ୟବସ୍ଥିତ ଜୀବନଶୈଳୀ, ଖାଦ୍ୟପେୟ ଆଦି କାରଣରୁ ଜଣେ ପୃଥୁଳତା ପରି ସମସ୍ୟାର ସମ୍ମୁଖୀନ ହୋଇଥାଏ। ତେବେ ଏହାକୁ କିପରି ନିରୂପଣ କରାଯିବ ସେ ନେଇ ଏକ ନୂଆ ଉପାୟ ଖୋଜିପାଇବାରେ ସକ୍ଷମ ହୋଇଛନ୍ତି ୟୁନିଭର୍ସିଟି ଅଫ୍‌ ଲଣ୍ଡନର ବିଶେଷଜ୍ଞମାନେ। ଜଣଙ୍କର ରକ୍ତ ପରୀକ୍ଷା କରି ଏ ସମ୍ପର୍କରେ ଜାଣିହେବ ବୋଲି ଏହି ୟୁନିଭର୍ସିଟିର ବିଶେଷଜ୍ଞମାନେ ଦୃଢ଼ୋକ୍ତି ବ୍ୟକ୍ତ କରିଛନ୍ତି। ରକ୍ତ ପରୀକ୍ଷା ସମୟରେ ଡିଏନ୍‌ଏରେ ମିଥିଲେନ୍ସ ସ୍ତରକୁ ତନ୍ନ ତନ୍ନ କରି ଅନୁଧ୍ୟାନ କରିବା ପରେ ଏଥିରୁ ପୃଥୁଳତା ସମ୍ପର୍କରେ ସେମାନେ ସୂଚନା ପାଇପାରିଥିଲେ। ବିଶେଷଭାବରେ ଛୋଟ ପିଲାଠାରେ ଏପରି ପରୀକ୍ଷା ଅଧିକ ଫଳପ୍ରଦ ସାବ୍ୟସ୍ତ ହୋଇଥାଏ ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏଥିରେ ଦର୍ଶାଯାଇଛି ଯେ, ଯଦି ଡିଏନ୍‌ଏରେ ମିଥଲେନ୍ସ ସ୍ତର ଅସନ୍ତୁଳିତ ରହେ ତେବେ ଶରୀରରେ ଚର୍ବି ପରିମାଣ ବଢ଼ିଥାଏ, ଯାହା ପରବର୍ତ୍ତୀ ସମୟରେ ପୃଥୁଳତା ପରି ସମସ୍ୟା ସୃଷ୍ଟିକରେ।