ରଖେ ହରି ତ ମାରେ କିଏ: ନଦୀରେ ୩ କି.ମି. ଭାସି ଯାଇ ବି ବଞ୍ଚିଗଲେ ବୃଦ୍ଧା

ବସ୍ତା, ୧।୧୦(ସ୍ବ.ପ୍ର.)-କଥାରେ ଅଛି ରଖେ ହରି ତ ମାରେ କିଏ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲା ବସ୍ତା ଥାନା ଅଧୀନ ବାହାର୍ଦ୍ଦା ଗ୍ରାମରେ। ଜଣେ ବୃଦ୍ଧା ନଦୀର ପ୍ରଖରସ୍ରୋତରେ ୩ କି.ମି. ପର୍ଯ୍ୟନ୍ତ ଭାସିଯାଇ ବଞ୍ଚିଯିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।
ସୂଚନା ଅନୁଯାୟୀ ରବିବାର ରାତିରେ ଏହି ଗ୍ରାମର ବର୍ଣ୍ଣବାଳା ଭୋଇ (୯୦) ନାମ୍ନୀ ବୃଦ୍ଧା ରାତିରେ ଖାଇସାରି ଶୋଇଥିଲେ। ରାତି ପ୍ରାୟ ୧୧ଟା ବେଳେ ସେ ଘରେ ଶୋଇଥିବା ତାଙ୍କ ଘର ଲୋକେ ଦେଖିଥିଲେ। ହେଲେ ବୃଦ୍ଧାଜଣକ କୌଣସି କାରଣରୁ ତାଙ୍କ ଘର ପାର୍ଶ୍ୱରେ ଥିବା ନଦୀରେ ଭାସି ଯାଇଥିଲେ। ରାତିରେ ତାଙ୍କ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରି ପାଇ ନ ଥିଲେ। ପରେ ନଦୀତୁଠରେ ଏକ ଟର୍ଚ୍ଚ ଜଳୁଥିବା ଅବସ୍ଥାରେ ପଡିଥିବା ଦେଖି ବୃଦ୍ଧା ଜଣକ ନଦୀରେ ଭାସିଯାଇଥିବା ପରିବାର ଲୋକେ ସନ୍ଦେହ କରିଥିଲେ। ସୋମବାର ଭୋର୍‌ରେ ବୃଦ୍ଧାଙ୍କୁ କୁଡ଼ିଆ ପଞ୍ଚାୟତର ବେଲଶୁଣି ଗ୍ରାମ ମନ୍ଦିର ନିକଟରେ ଦେଖିବାକୁ ମିଳିଥିଲା। ଭୋର୍‌ରେ ମନ୍ଦିରକୁ ପୂଜା ପାଇଁ ଆସିଥିବା ପୂଜକ ବୃଦ୍ଧାଙ୍କ ଦେଖି ସ୍ଥାନୀୟ ଗ୍ରାମର ଯୁବନେତା ନୃସିଂହ ଚରଣ ଦାସଙ୍କୁ ଖବର ଦେଇଥିଲେ। ନୃସିଂହ ଓ ପୂଜକ ସରୋଜ କୁମାର ପଣ୍ଡା ତାଙ୍କୁ ଉଦ୍ଧାର କରିବା ସହ ମନ୍ଦିରରୁ ପୂଜା ଶାଢ଼ୀ ଆଣି ପିନ୍ଧିବାକୁ ଦେଇଥିଲେ। ଜଳକା ନଦୀରେ ବୃଦ୍ଧା ଜଣକ ଭାସି ଆସି ବେଲଶୁଣି ଗ୍ରାମ ପାଖରେ ଥିବା ସୁଇସ୍‌ ଗେଟ୍‌ ନିକଟରେ ଲାଗି କୌଶଳକ୍ରମେ ଉପରକୁ ଆସିଥିବା କହିଛନ୍ତି। ରାତିସାରା ପାଣିରେ ରହିବା ପରେ ବି ତାଙ୍କର କିଛି କ୍ଷତି ହୋଇ ନ ଥିବା ଦେଖି ଭଗବାନ ତାଙ୍କୁ ବଞ୍ଚାଇଦେଲେ ବୋଲି ସ୍ଥାନୀୟ ଗ୍ରାମବାସୀ କହିଛନ୍ତି।

Share