Advertisement

ରଘୁନାଥ ଜୁନିୟର ମହାବିଦ୍ୟାଳୟ ନବାଗତ ଶିକ୍ଷାର୍ଥୀଙ୍କୁ ସ୍ବାଗତ

ବୋଲଗଡ଼,୩ା୮(ଡି.ଏନ.ଏ.): ବୋଲଗଡ଼ ବ୍ଲକ ଦେଉଳିସ୍ଥିତ ରଘୁନାଥ ଜୁନିୟର ମହାବିଦ୍ୟାଳୟରେ ନାମ ଲେଖାଇଥିବା ଚଳିତବର୍ଷର ୧ମ ବର୍ଷ ଛାତ୍ରୀଛାତ୍ରଙ୍କ ପାଇଁ ଶୁକ୍ରବାର ଏକ ସ୍ବାଗତ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଯୁକ୍ତଦୁଇ ୨ୟ ବର୍ଷ ଛାତ୍ରୀଛାତ୍ର ତଥା ଅନୁଷ୍ଠାନ ପକ୍ଷରୁ ନବାଗତଙ୍କ ନିମନ୍ତେ କଲେଜ ପରିସରରେ ଏହି ସ୍ବାଗତ ଉତ୍ସବ ଆୟୋଜିତ ହୋଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ତପନ କୁମାର ଜେନା କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି ଛାତ୍ରୀଛାତ୍ରଙ୍କୁ ନୈତିକ ମୂଲ୍ୟବୋଧଭିତ୍ତିକ ଉପଦେଶ ପ୍ରଦାନ କରିଥିଲେ। ଶିକ୍ଷାର୍ଥୀମାନେ ଶୃଙ୍ଖଳିତ ଓ ସମୟାନୁବର୍ତ୍ତୀ ହେବା ସହ ଶିକ୍ଷା ଗ୍ରହଣ ପାଇଁ ବ୍ରତୀ ହେବାକୁ ମଞ୍ଚାସୀନ ଅତିଥିମାନେ ଦିଗ୍‌ଦର୍ଶନ ଦେଇଥିଲେ। ଏହି ଅବସରରେ ଯୁକ୍ତଦୁଇ ୧ମ ବାର୍ଷିକ କଳାରେ ଅଧ୍ୟୟନ କରୁଥିବା ୨୪୮ ଜଣ, ୧ମ ବାର୍ଷିକ ବିଜ୍ଞାନରେ ଅଧ୍ୟୟନ କରୁଥିବା ୩୨ ଜଣ ଛାତ୍ରୀଛାତ୍ରଙ୍କୁ ୨ୟ ବର୍ଷର ଛାତ୍ରୀଛାତ୍ରମାନେ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel