ରଙ୍ଗ୍‌ ସାଇଡ୍‌ରେ ପୋଲିସ ଭ୍ୟାନ୍‌: ଫଟୋ ଭାଇରାଲ

ଭୁବନେଶ୍ୱର,୨।୩(ବ୍ୟୁରୋ): ନୂଆ ମୋଟର ଯାନ ଆଇନକୁ ନେଇ ରବିବାର ରାଜଧାନୀରେ ଟ୍ରାଫିକ ଯାଞ୍ଚ ଚାଲିଥିବାବେଳେ କେତେଜଣ ନିୟମ ଉଲ୍ଲଂଘନକାରୀ ପୋଲିସ ଓ ଆର୍‌ଟିଓଙ୍କୁ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରି ଯୁକ୍ତି କରୁଥିଲେ। ଆଇନ ସମସ୍ତଙ୍କ ପାଇଁ ସମାନ ବୋଲି ପୋଲିସ ବାରମ୍ବାର କହୁଥିବା ଶୁଣିବାକୁ ମିଳୁଥିଲା। ହେଲେ ରବିବାର ଟଙ୍କପାଣିରୋଡ଼ ସାଇ ମନ୍ଦିର ନିକଟରେ ଏକ ପୋଲିସ ଭ୍ୟାନ୍‌ ରାସ୍ତାର ରଙ୍ଗସାଇଡ଼୍‌ରେ ଯାଉଥିବା ଦେଖିବାକୁ ମିଳିଥିଲା। ଏପରି କି କେହି ଏହାର ଫଟୋ ଉଠାଇ ସୋସିଆଲ ମିଡିଆର ବିଭିନ୍ନ ଗ୍ରୁପ୍‌ରେ ଛାଡ଼ିଦେଇଥିଲେ। ତାହା ଏବେ ଭାଇରାଲ ହେଉଥିବାବେଳେ ଲୋକେ ନାନା ମନ୍ତବ୍ୟ ଦେଉଛନ୍ତି। ସମସ୍ତଙ୍କ ପାଇଁ ଆଇନ ସମାନ କହୁଥିବା ପୋଲିସ ନିଜେ ନିୟମ କାହିଁକି ଉଲ୍ଲଂଘନ କରୁଛି? ରଙ୍ଗ୍‌ସାଇଡ୍‌ରେ ଯାଉଥିବା ଭ୍ୟାନ୍‌ ବିରୋଧରେ ଚାଲାଣ କଟା ହେବ ତ ? ଏମିତି ଅନେକ ପ୍ରଶ୍ନ ଏବେ ଘୂରି ବୁଲୁଛି। ପୂର୍ବରୁ ପୋଲିସ ଭ୍ୟାନ୍‌ ରାଜଧାନୀର ରାସ୍ତା ମଝିରେ ଦୁଇ ଡୋର ଖୋଲି ଗାଡ଼ି ଚାଳନା କରୁଥିବା ଭିଡିଓ ଭାଇରାଲ ହେବା ପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା। ସେହିଭଳି ଏକାଧିକ ପୋଲିସ କର୍ମଚାରୀ ବିନା ହେଲ୍‌ମେଟରେ ଗାଡି ଚାଳନା କରୁଥିବା ଫଟୋ କମିଶନରେଟ ପୋଲିସକୁ ଲୋକେ ଟ୍ବିଟ୍‌ କରିବା ପରେ ଜରିମାନା କରାଯାଇଥିଲା। ସେହିଭଳି ରବିବାର ପୋଲିସ ଭ୍ୟାନ ରଙ୍ଗ୍‌ ସାଇଡ୍‌ରେ ଗାଡି ଚାଳନା କରୁଥିବାରୁ ଏହାକୁ ଯାଞ୍ଚ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଟ୍ରାଫିକ ଡିସିପି ସାଗରିକା ନାଥ କହିଛନ୍ତି।

Share