ରଙ୍ଗ ବରଷିବ ଟୁପୁରୁ ଟୁପୁରୁ

ଚଳିତ ମାସ ୨୬ରେ ପରଦା ଉପରକୁ ଆସୁଛି ଏକ ଭିନ୍ନ ଧରଣର ପ୍ରେମ କାହାଣୀକୁ ନେଇ ପ୍ରସ୍ତୁତ ତଥା ଜିତେନ୍ଦ୍ର ନାଥ ମହାପାତ୍ରଙ୍କ ନିର୍ଦ୍ଦେଶିତ ଓଡ଼ିଆ ସିନେମା ‘ରଙ୍ଗ ବରଷିବ ଟୁପୁରୁ ଟୁପୁରୁ’। କାହାଣୀ ଅନୁସାରେ, ପ୍ରେମ ପରି ଶବ୍ଦ ଯେ ଦିନେ ଦୁହିଙ୍କ ଭିତରେ ଶତ୍ରୁତାର ମୁଖ୍ୟ କାରଣ ସାଜିବ ତାହା କେବେ କଳ୍ପନା କରି ନ ଥିଲେ ଚନ୍ଦ୍ରଶେଖର ଆଉ ବିଜୟିନୀ। ସମୟକ୍ରମେ ଚନ୍ଦ୍ରଶେଖରଙ୍କ ପୁଅ ଆଦର୍ଶଙ୍କ ପ୍ରେମରେ ପଡ଼ିଯାଏ ବିଜୟିନୀଙ୍କ ଝିଆରୀ ଦିଶା । ବିଡ଼ମ୍ବନା, ଏଭଳି ପ୍ରେମରେ ପୁଣି ପୂର୍ବ ଶତ୍ରୁତା କଣ୍ଟାହୋଇ ଠିଆ ହୁଏ କି? ପ୍ରେମ ପାଇଁ ଏହି ପ୍ରେମୀଯୁଗଳ କ’ଣ ଘର ଲୋକଙ୍କୁ ଏଡ଼ାଇ ଦିଅନ୍ତି? ଏପରି ଅନେକ ପ୍ରଶ୍ନର ଉତ୍ତର ରହିଛି ଏହି ନୂଆ ଓଡ଼ିଆ ସିନେମାରେ। ଦର୍ଶକଙ୍କ ମନକୁ ଛୁଇଁଲା ଭଳି ଏକ ଭିନ୍ନଧରଣର ପ୍ରେମ କାହାଣୀକୁ ରଚନା କରିବା ସହ ଚିତ୍ରନାଟ୍ୟ, ସଂଳାପ ଲେଖିଛନ୍ତି ଜିତେନ୍ଦ୍ର। ଖାସ୍‌ କଥା ହେଲା, ନୂଆ ଯୋଡ଼ି ତାପସ-ସୁଶ୍ରୀ ରଥ ଏହି ଫିଲ୍ମରୁ ନିଜର ଓଲିଉଡ୍‌ କ୍ୟାରିୟର ଆରମ୍ଭ କରୁଛନ୍ତି। ଶୀର୍ଷାନନ୍ଦ ଦାସ କାନୁନ୍‌ଗୋ ଏବଂ ଶ୍ରୀକାନ୍ତ ଗୌତମଙ୍କ ରଚିତ ଗୀତଗୁଡିକୁ ସ୍ବର ଦେଇଛନ୍ତି ଅମରେନ୍ଦ୍ର ମହାନ୍ତି। କଣ୍ଠଦାନ କରିଛନ୍ତି ସତ୍ୟଜିତ, ଶୁଭମ୍‌, ଶଶାଙ୍କ, ଦୀପ୍ତିରେଖା, ଲଳିତା ଭଞ୍ଜ, ଅନ୍ତରା ଚକ୍ରବର୍ତ୍ତୀ ଓ ଚାମେଲି ମହାପାତ୍ର। ଏହି ନୂଆ ଯୋଡ଼ି ବ୍ୟତୀତ ମିହିର ଦାସ, ଅପରାଜିତା, ଅଶ୍ରୁମୋଚନ ମହାନ୍ତି, କିଶୋର ଖଣ୍ଡୁଆଳ, ସରୋଜ ଦାସ, ବିଜୁ ବଡ଼ଜେନା, ହର ରଥ ବିଭିନ୍ନ ଭୂମିକାରେ ଅଭିନୟ କରିଛନ୍ତି।

Share