ରଜନୀକାନ୍ତଙ୍କ ପରେ ଏବେ ଅକ୍ଷୟଙ୍କ ପାଳି

ମୁମ୍ବାଇ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତଙ୍କ ପରେ ଏବେ ବଲିଉଡ୍‌ ଖିଲାଡି ବୟଙ୍କ ପାଳି ପଡିଛି। ଡିସକଭରି ଚ୍ୟାନେଲର ମୋଷ୍ଟ ପପୁଲାର ଶୋ’ ‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ରେ ଅକ୍ଷୟ କୁମାରଙ୍କୁ ଦେଖିବାକୁ ମିଳିବ। ଗୁରୁବାର ମଇଶୂରରେ ଏହାର ଶୁଟିଂ କରିବାକୁ ଅକ୍ଷୟ ସେଠାରେ ପହଞ୍ଚିଥିବା କୁହାଯାଉଛି। ଏମିତିକି ଅକ୍ଷୟ ଏଥିପାଇଁ ଏୟାରପୋର୍ଟରେ ତାଙ୍କ ଟିମ୍‌ ସହ ପହଞ୍ଚିଥିବା ଦେଖାଯାଇଥିଲା।

ଏହାପୂର୍ବରୁ ମଙ୍ଗଳବାର କର୍ନାଟକର ବାନ୍ଦିପୁର ଟାଇଗର ରିଜର୍ଭ ପାର୍କରେ ରଜନୀକାନ୍ତ ବିୟର ଗ୍ରୀଲ୍ସଙ୍କ ସହ ‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ କାର୍ଯ୍ୟକ୍ରମର ଶୁଟିଂ କରିଥିବା ସୂଚନା ମିଳିଥିଲା। ଏହି ସମୟରେ ରଜନୀକାନ୍ତ ସାମାନ୍ୟ ଆହତ ହୋଇଥିଲେ ବୋଲି ମଧ୍ୟ ଶୁଣିବାକୁ ମିଳିଥିଲା। ଏହାପରେ ବି ସେ ଶୁଟିଂ ଶେଷ କରିଥିଲେ। ଏହି ପାର୍କରେ ଶୁଟିଂ କରିବାକୁ ୨ ଦିନର ଅନୁମତି ମିଳିଥିବା ବେଳେ ମଙ୍ଗଳବାର ରଜନୀକାନ୍ତ ଓ ଗୁରୁବାର ଅକ୍ଷୟ କୁଆଡେ ସେଠାରେ ବିୟର ଗ୍ରୀଲ୍ସଙ୍କ ସହ ‘ମ୍ୟାନ ଭର୍ସେସ ଓ୍ବାଇଲ୍ଡ’ କାର୍ଯ୍ୟକ୍ରମର ଶୁଟିଂ କରିଥିବା କୁହାଯାଉଛି। ସୂଚନାଯୋଗ୍ୟ, ପ୍ରଥମେ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସିଥିବା ବେଳେ ଏହା ଖୁବ୍‌ ଚର୍ଚ୍ଚାର ବିଷୟ ପାଲଟିଥିଲା। ପ୍ରଧାନମନ୍ତ୍ରୀଙ୍କ ଏପିସୋଡ ଗତ ଅଗଷ୍ଟ ମାସରେ ପ୍ରସାରଣ କରାଯାଇଥିଲା। ଏହା ଉତ୍ତରାଖଣ୍ଡରେ ଶୁଟିଂ କରାଯାଇଥିଲା।

Share