ରଜନୀକାନ୍ତଙ୍କ ସହ ଅଭିନୟ କରିବେ ଓଡ଼ିଆ ଝିଅ

ଭୁବନେଶ୍ୱର, ୨୮।୯(ବ୍ୟୁରୋ): ସାଉଥ୍‌ ସୁପରଷ୍ଟାର୍‌ ତଥା ପ୍ରଖ୍ୟାତ ଅଭିନେତା ରଜନୀକାନ୍ତଙ୍କ ସହ ବଡ଼ ପରଦାରେ ଅଭିନୟ କରିବେ ଓଡ଼ିଶାର ଦେବୋସ୍ମିତା ପଟ୍ଟନାୟକ। ରଜନୀକାନ୍ତଙ୍କ ଆଗାମୀ ଫିଲ୍ମରେ ସେ ନଜରକୁ ଆସିବେ। ତାମିଲ୍‌ ଫିଲ୍ମ ‘ଦରବାର’ରେ ଅଭିନୟ ପାଇଁ ଦେବୋସ୍ମିତାଙ୍କୁ ସୁଯୋଗ ମିଳିଥିବାବେଳେ ଏଥିରେ ରଜନୀକାନ୍ତ ମୁଖ୍ୟ ଭୂମିକାରେ ଅଭିନୟ କରିବେ। ଫିଲ୍ମରେ ଅନ୍ୟମାନଙ୍କ ମଧ୍ୟରେ ଦକ୍ଷିଣ ଭାରତୀୟ ଅଭିନେତ୍ରୀ ନୟନତାରାଙ୍କ ସହ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁନୀଲ ସେଟ୍ଟୀ, ଦଲିପ ତାହିଲ୍‌ ଏବଂ ପ୍ରତୀକ ବାବ୍ବରଙ୍କ ଭଳି ଅଭିନେତାଙ୍କୁ ଦେଖିବାକୁ ମିଳିବ। ଗଜପତି ଜିଲା ପାରଳାଖେମୁଣ୍ଡିରେ ଜନ୍ମିତ ଦେବୋସ୍ମିତା ଏହି ଫିଲ୍ମରେ ଜଣେ ଡ୍ୟାନ୍ସର ଭୂମିକାରେ ନଜର ଆସିବେ। ପ୍ରକୃତ ଜୀବନରେ ଜଣେ କୋରିଓଗ୍ରାଫରଭାବେ ପରିଚିତ ଏହି ଓଡ଼ିଶା ଜନ୍ମିତ ପ୍ରତିଭାବାନ୍‌ କଳାକାରଙ୍କୁ ଦମ୍‌ଦାର୍‌ ଭୂମିକାରେ ବଡ଼ ପରଦାରେ ଦେଖିବାକୁ ମିଳିବ। ଫିଲ୍ମଟି ୨୦୨୦ ଜାନୁୟାରୀ ୧୪ରେ ମୁକ୍ତିଲାଭ କରିବ ବୋଲି ସୂଚନା ରହିଛି। ପୂର୍ବରୁ ସେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ, ଡ୍ୟାନ୍ସ ଦିଓ୍ବାନେ ଓ ବୁଗି ଉଗି ଭଳି ରିୟଲିଟି ଶୋ’ରେ ମଧ୍ୟ ନଜରକୁ ଆସିଛନ୍ତି।

Share