ରଜରେ ଆମ୍ବ ଖାଇବାକୁ ନ ଦେବାରୁ ସ୍ତ୍ରୀଙ୍କୁ ପିଟିପିଟି ହତ୍ୟା କଲେ ସ୍ବାମୀ

ଭଦ୍ରକ ଅଫିସ,୧୬।୬: ରଜରେ ଆମ୍ବ ଖାଇବା ପାଇଁ ନଦେବାରୁ ସ୍ତ୍ରୀଙ୍କୁ ବାଉଁଶରେ ପିଟି ହତ୍ୟା କଲେ ନିଶାସକ୍ତ ସ୍ବାମୀ। ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲା ଧାମନଗର ଥାନା ଜଳମଣ୍ଡୁଆର ଡଜେନା ସାହି ଗ୍ରାମରେ।
ସୂଚନା ଅନୁଯାୟୀ, ଦ୍ୱିତୀୟ ରଜ ଅର୍ଥାତ ସୋମବାର ରାତିରେ ଗାଁର କାର୍ତ୍ତିକ ଜେନା ନିଶାସକ୍ତ ଅବସ୍ଥାରେ ଘରେ ପହଞ୍ଚି ସ୍ତ୍ରୀ ସସ୍ମିତାଙ୍କୁ ଆମ୍ବ ଖାଇବାକୁ ମାଗିଥିଲେ। ହେଲେ ସବୁ ଆମ୍ବ ପିଲାମାନେ ଖାଇ ଦେଇଛନ୍ତି ବୋଲି ସସ୍ମିତା କହିଥିଲେ। ଏ ନେଇ କାର୍ତ୍ତିକ ରାଗିଯାଇ ଏକ ବାଉଁଶ ଫାଳିଆରେ ତାଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ଘଟଣାସ୍ଥଳରେ ସସ୍ମିତାଙ୍କ ମୃତ୍ୟୁ ଘଟିଛି। ଖବରପାଇ ଧାମନଗର ପୋଲିସ କାର୍ତ୍ତିକଙ୍କୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି। ସସ୍ମିତାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ମେଡିକାଲ ପଠାଯାଇଛି।

Share