ରଜରେ ନିଆରା ପରମ୍ପରା: କୁମାରୀଙ୍କ କଣ୍ଢେଇ ବାହାଘର

କାକଟପୁର, ୧୩।୬(ଡି.ଏନ୍‌.ଏ.)-ରଜ ଆସିଲେ ଉତ୍ସବ ମୁଖର ହୋଇପଡେ ପୁରୀ ଜିଲା ଅସ୍ତରଙ୍ଗ ବ୍ଲକର କୁଣ୍ଡେଶ୍ୱର ଗଁା। ଦୀର୍ଘ ୫୦ବର୍ଷରୁ ଊର୍ଦ୍ଧ୍ୱ ହେବ ଗଁାରେ ଚଳିଆସିଛି ଏକ ନିଆରା ପରମ୍ପରା। ଭେଦଭାବ, ବିଦ୍ୱେଷ, ମନୋମାଳିନ୍ୟ ଭୁଲି ଗଁାର କୁମାରୀ ଓ ନବବିବାହିତା ଯୁବତୀମାନେ ସାବିତ୍ରୀରେ ଗଁା ଠାକୁରାଣୀଙ୍କ ଘରେ ଏକତ୍ରିତ ହୁଅନ୍ତି। କୁମାରୀମାନେ ଦୁଇ ଦଳରେ ବିଭକ୍ତ ହୋଇ ଗୋଟିଏ ଦଳ କନ୍ୟାପକ୍ଷ ହେଉଥିବାବେଳେ ଆଉଗୋଟିଏ ଦଳ ବରପକ୍ଷ ହୋଇଥାନ୍ତି। ଉଭୟଦଳର ନେତ୍ରୀ(ମୁଖିଆ)ଚୟନ କରାଯାଇ ତାଙ୍କରି ନିର୍ଦ୍ଦେଶରେ ସମସ୍ତ କାର୍ଯ୍ୟ ହୋଇଥାଏ। ପରେ ପହିଲି ରଜରେ କଣ୍ଢେଇ ବାହାଘର ଅନୁଷ୍ଠିତ ହୋଇଥାଏ।
ଠିକ୍‌ ସାଧାରଣ ବାହାଘର ପରି କନ୍ୟାପକ୍ଷ କୁମାରୀମାନେ କନ୍ୟା କଣ୍ଢେଇ ମାଟିରେ ନିର୍ମାଣ ସାଙ୍ଗକୁ ଗଁା କୋଠଘରେ ବିବାହର ସମସ୍ତ ଆୟୋଜନ କରିଥାନ୍ତି। ସେହିପରି ବରପକ୍ଷ କୁମାରୀମାନେ ବର କଣ୍ଢେଇନିର୍ମାଣ ସାଙ୍ଗକୁ ସୁସଜ୍ଜିତ କାର, ବ୍ୟାଣ୍ଢପାର୍ଟି, ବାଜା, ବାଣ ଯୋଗାଡ କରିଥାନ୍ତି। ସାଧାରଣ ବିବାହ ଉତ୍ସବ ପରି ଗଁାର ସମସ୍ତ ପରିବାର, ନବବିବାହିତା ଯୁବତୀ ଓ ସେମାନଙ୍କ ସ୍ବାମୀ, ଅତିଥିମାନଙ୍କୁ ନିମନ୍ତ୍ରଣ ପତ୍ର ଦେଇ ବିବାହକୁ ନିମନ୍ତ୍ରଣ କରାଯାଉଥିବାବେଳେ ବାଡୁଅପାଣି ଗାଧୁଆ, ବରାନୁଗମନ, ବାଟବରଣ, କନ୍ୟାବିଦା, ବରଯାତ୍ରୀ ଓ ଅତିଥିଙ୍କୁ ଭୋଜି ପ୍ରଭୃତି କାର୍ଯ୍ୟ ସୂଚାରୁରୂପେ କୁମାରୀମାନେ ସମ୍ପାଦନ କରିଥାନ୍ତି। ପହିଲିରଜରେ ବିବାହଉତ୍ସବ ପରେ ଉଭୟ ବର ଓ କନ୍ୟା କଣ୍ଢେଇକୁ ଗଁା କୋଠଘରେ ୪ଦିନ ପାଇଁ ରଖାଯାଇଥାଏ। ପ୍ରତିଦିନ କୁମାରୀମାନେ ଉଭୟ କଣ୍ଢେଇକୁ ବନ୍ଦାପନା କରିବା ସହିତ ପୁଚି, ଡିଅଁାଡେଇଁ, ତାସ, ଲୁଡୁ ଖେଳ ଖେଳିଥାନ୍ତି। ପଞ୍ଚମ ଦିନ ଉଭୟ କଣ୍ଢେଇଙ୍କୁ ପ୍ରାଚୀ ନଦୀରେ ବିସର୍ଜନ କରାଯାଇଥାଏ। କଣ୍ଢେଇ ବିବାହ ପାଇଁ ସହ ରଜ ୩ଦିନ ଗଁା ଉତ୍ସବ ମୁଖର ହୋଇପଡେ। ରଜରେ କୁମାରୀଙ୍କ କଣ୍ଢେଇ ବାହାଘର ଏକ ନିଆରା ପରମ୍ପରା ଭାବେ ପ୍ରଚଳିତ ବୋଲି ଗ୍ରାମର ସସ୍ମିତା ପ୍ରଧାନ କୁହିଥାନ୍ତି। ପରସ୍ପର ଭିତରେ ସଦ୍‌ଭାବ, ପ୍ରେମ, ଭାଇଚାରକୁ ଉଜ୍ଜୀବିତ ରଖିବା ଓ ଯୌତୁକ ଭଳି ଏକ କଳଙ୍କିତ ପ୍ରଥା ସମ୍ପର୍କରେ ଲୋକମାନଙ୍କୁ ସଚେତନ କରିବାକୁ ଗଁାରେ କଣ୍ଢେଇ ବାହାଘର ହୋଇଆସୁଥିବା ଗଁାର ଲିଜା ବେହେରା, ସୁଶାନ୍ତି ପ୍ରଧାନ ଓ ମାମାଲି ଦାସ କୁମାରୀମାନେ କୁହନ୍ତି।

Share