Categories: ମେଟ୍ରୋ

ରଜ ରେକର୍ଡ: ୭ଲକ୍ଷ ଟପିଲା ପିଠା ବିକ୍ରି

ଭୁବନେଶ୍ୱର,୧୭ା୬(ବ୍ୟୁରୋ) : ପୁଣିଥରେ ରଜ ପିଠାକୁ ନେଇ ଚର୍ଚ୍ଚାକୁ ଆସିଛି ପାନ୍ଥନିବାସ। ମାତ୍ର ୪ଦିନ ମଧ୍ୟରେ ୭ ଲକ୍ଷରୁ ଅଧିକ ଟଙ୍କାର ପିଠା ବିକ୍ରି କରିବାର ରେକର୍ଡ କରିଛି ଓଟିଡିସି ଦ୍ୱାରା ପରିଚାଳିତ ପାନ୍ଥନିବାସ। ବିଶେଷକରି ପ୍ରତିଥର ଭଳି ଏଥର ମଧ୍ୟ ପୋଡ଼ପିଠାର ଚାହିଦା ସର୍ବାଧିକ ରହିଥିଲା। ଅନ୍ୟପକ୍ଷରେ ରଜ ସରିଥିଲେ ମଧ୍ୟ ପାନ୍ଥନିବାସରେ ପିଠାବିକ୍ରି ଜାରି ରହିବ। ଗ୍ରାହକଙ୍କ ଚାହିଦାକୁ ଦୃଷ୍ଟିରେ ରଖି ଲଗାତାର ୫ମ ଦିନ ପାଇଁ ପାନ୍ଥନିବାସରେ ପିଠା ବିକ୍ରି ହେବ। ବିଶେଷକରି ପୋଡପିଠା ପାଇଁ ଗ୍ରାହକଙ୍କ ଡିମାଣ୍ଡ୍‌ ଯୋଗୁ ଏଭଳି ନିଷ୍ପତ୍ତି ନେଇଛନ୍ତି କର୍ତ୍ତୃପକ୍ଷ। ସୋମବାର ପାନ୍ଥନିବାସ ପରିସରରେ ଦିନତମାମ ପୋଡ଼ପିଠା ବିକ୍ରି ପାଇଁ ଉପଲବ୍ଧ ହେବ ବୋଲି ଓଟିଡିସି ପକ୍ଷରୁ ସୂଚନା ଦିଆଯାଇଛି।
ଚଳିତବର୍ଷ ୧୩ ତାରିଖ ସଜବାଜଠାରୁ ପାନ୍ଥନିବାସରେ ରଜ ଉତ୍ସବ ସହ ପିଠା ବିକ୍ରି ଆରମ୍ଭ ହୋଇଥିଲା। ଭୁବନେଶ୍ୱର ସମେତ କଟକ, ଚାନ୍ଦିପୁର, ଗୋପାଳପୁର, ସମ୍ବଲପୁର, ରାଉରକେଲା, ବରକୁଳ ଏବଂ ପାରାଦୀପରେ ଥିବା ପାନ୍ଥନିବାସରେ ୧୬ ତାରିଖ ପର୍ଯ୍ୟନ୍ତ ରଜ ମହୋତ୍ସବ ପାଳିତ ହେବାସହ ବିଭିନ୍ନ ପ୍ରକାର ପିଠା ବିକ୍ରି ପାଇଁ ଉପଲବ୍ଧ ହୋଇଥିଲା। ପୋଡ଼ପିଠା, ମଣ୍ଡା, ଆରିସା, କାକରା, ଚକୁଳି ପିଠା ସାଙ୍ଗକୁ ମୁଗବୁନ୍ଦି, କ୍ଷୀରଗଜା, ଦହିବରା, ଛେନାପୋଡ଼ ମୁଖ୍ୟ ଆକର୍ଷଣ ରହିଥିଲା। ଏହାସହ ଚଳିତବର୍ଷ ପ୍ରଥମଥର ପାଇଁ ଆଦିବାସୀମାନଙ୍କ ଲୋକପ୍ରିୟ ମହୁଲ ଓ ମାଣ୍ଡିଆରେ ପ୍ରସ୍ତୁତ ପିଠା ଭୁବନେଶ୍ୱର ପାନ୍ଥନିବାସରେ ଉପଲବ୍ଧ ହୋଇଥିଲା। ସେହିଭଳି ସମ୍ବଲପୁର ପ୍ରସିଦ୍ଧ ପିଠା ଖୁଦମଣ୍ଡା, କଦମ୍ବା, ମୁଗପାପ୍‌ଚି ସମ୍ବଲପୁର ପାନ୍ଥନିବାସରେ ଉପଲବ୍ଧ ହୋଇଥିଲା। ତେବେ ସଜବାଜରେ ୭୩ ହଜାର ଟଙ୍କାର ପିଠା ବିକ୍ରି ହୋଇଥିବା ବେଳେ ପହିଲି ରଜରେ ସର୍ବାଧିକ ୩ଲକ୍ଷ ୧୧ହଜାର ଟଙ୍କାର ପିଠା ବିକ୍ରି ହୋଇଥିଲା। ସେହିଭଳି ରଜ ସଂକ୍ରାନ୍ତିରେ ୨ଲକ୍ଷ ୫୨ହଜାର ଟଙ୍କାର ପିଠା ବିକ୍ରିବଟା ହୋଇଥିବାବେଳେ ୩ଦିନରେ ପିଠା ବ୍ୟବସାୟ ୬ଲକ୍ଷ ୩୬,୦୦୦ ଟିପିଥିଲା। ଶେଷରଜ ଅର୍ଥାତ୍‌ ୪ର୍ଥ ଦିନ ସନ୍ଧ୍ୟା ସୁଦ୍ଧା କାଉଣ୍ଟର ବନ୍ଦ ହୋଇ ନ ଥିବାବେଳେ ପ୍ରାୟ ୧ଲକ୍ଷ ୩୦ ହଜାର ଟଙ୍କାର ବେପାର ହୋଇଛି। ୫ମ ଦିନ ସୁଦ୍ଧା ପିଠା ବିକ୍ରି ଆହୁରି ବଢିବ ବୋଲି ଆଶା କରାଯାଉଛି। କେବଳ ଭୁବନେଶ୍ୱର ପାନ୍ଥନିବାସରେ ୭ ଲକ୍ଷରୁ ଅଧିକ ଟଙ୍କାର ପିଠା ବିକ୍ରି ହୋଇଥିବାବେଳେ ରାଜ୍ୟର ଅନ୍ୟାନ୍ୟ ପାନ୍ଥନିବାସରେ ମଧ୍ୟ ଏଥର ଭଲ ବିକ୍ରିବଟା ହୋଇଛି ବୋଲି ଥିବା ଓଟିଡିସି ପକ୍ଷରୁ ସୂଚନା ଦିଆଯାଇଛି।

Share