ରଣକ୍ଷେତ୍ର ପାଲଟିଲା ରାଜମହଲ ଛକ: ପୋଲିସ-ଜନତା ମୁହାଁମୁହିଁ; ଲାଠିଚାର୍ଜ

ଭୁବନେଶ୍ୱର,୭।୯(ବ୍ୟୁରୋ): ରଣକ୍ଷେତ୍ର ପାଲଟିଛି ସ୍ଥାନୀୟ ରାଜମହଲ ଛକ। ନୂଆ ମୋଟର ଯାନ ନିୟମକୁ ବିରୋଧ ସହ ସରକାରୀ ଗାଡ଼ିକୁ ଛାଡ଼ି ଦିଆଯାଉଥିବା ଅଭିଯୋଗ କରି ତାତିଛନ୍ତି ଲୋକେ। ପୋଲିସ ଗାଡ଼ି ସମେତ ବିଏମ୍‌ସି ଗାଡ଼ି ଓ ମୋ’ ବସ୍‌କୁ ଶନିବାର ଲୋକମାନେ ଅଟକାଇବା ସହ ହୋ-ହଲ୍ଲା କରିଛନ୍ତି। ତେବେ ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବା ପାଇଁ ପୋଲିସ ପକ୍ଷରୁ ଲାଠିଚାର୍ଜ କରାଯାଇଛି। ଘଟଣାସ୍ଥଳରେ ପୋଲିସ କମିଶନର, ଡିଜିପିଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଛନ୍ତି। ଏଥିସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ ହୋଇଛି। ତେବେ କିଛି ଲୋକେ ରାଜମହଲ ବ୍ରିଜ ଉପରୁ କାଚ ବୋତଲ ଫିଙ୍ଗୁଥିବା ଦେଖାଯାଇଛି। ଏଥିରେ କିଛି ପୋଲିସ କର୍ମୀ ଓ ଲୋକେ ଆହତ ହୋଇଥିବା ସୂଚନା ମିଳିଛି।

ମଧ୍ୟାହ୍ନରେ ସରକାରୀ ଗାଡ଼ିଗୁଡ଼ିକୁ ଅଟକାଇବା ସହ ଲୋକମାନେ ଆଗଜପତ୍ର ଠିକ୍‌ ଅଛି କି ନାହିଁ ଯାଞ୍ଚ କରିିଥିଲେ। ମୋ’ ବସ୍‌ରେ ମାତ୍ରାଧିକ ଯାତ୍ରୀ ଉଠାଉଥିବା, ଡ୍ରାଇଭର ସିଟ୍‌ ବେଲ୍ଟ ବାନ୍ଧି ନ ଥିବା ଏବଂ ପୋଲିସ ପାଟ୍ରୋଲିଂ ଗାଡ଼ିର କାଗଜପତ୍ର ଠିକ୍‌ ନ ଥିବା ଲୋକେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି।