Categories: ଖେଳ

ରଣଜୀ ଟ୍ରଫି:ବସନ୍ତଙ୍କୁ ୬; ସର୍ଭିସେସ୍‌ ୨୭୧ରେ ଅଲଆଉଟ

କଟକ ଅଫିସ,୧୮ା୧୨- ଡ୍ରିମ୍ସ ଗ୍ରାଉଣ୍ଡରେ ଓଡ଼ିଶା-ସର୍ଭିସେସ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ୍‌ ମଙ୍ଗଳବାର ଆରମ୍ଭ ହୋଇଛି। ପେସ୍‌ ବୋଲରଙ୍କୁ ସୁହାଉଥିବା ପିଚ୍‌ରେ ସର୍ଭିସେସ୍‌ ପ୍ରଥମେ ବ୍ୟାଟିଂ କରି ୨୭୧ରନରେ ଅଲଆଉଟ ହୋଇଯାଇଛି। ଓଡ଼ିଶା ପକ୍ଷରୁ ବସନ୍ତ ମହାନ୍ତି ସର୍ବାଧିକ ୬ଟି ଉଇକେଟ ଅକ୍ତିଆର କରିଛନ୍ତି। ପ୍ରଥମ ଦିବସ ଷ୍ଟମ୍ପ ଅପସାରଣ ସୁଦ୍ଧା ଓଡ଼ିଶା ବିନା ଉଇକେଟରେ ୪୩ରନ କରିଛି। ଓପନର ଅନୁରାଗ ଷଡ଼ଙ୍ଗୀ ୩୩ ଓ ଶାନ୍ତନୁ ମିଶ୍ର ୧୦ରନରେ ଅପରାଜିତ ଅଛନ୍ତି। ହାତରେ ୧୦ଟି ଯାକ ଉଇକେଟ ବାକି ଥିବା ଯୋଗୁଁ ଓଡ଼ିଶା ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିବାର ଦୃଢ଼ ଆଶା ରହିଛି।
ଓଡ଼ିଶା ଅଧିନାୟକ ଶୁଭ୍ରାଂଶୁ ସେନାପତି ଟସ୍‌ ଜିତି ସର୍ଭିସେସ୍‌କୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ। ୩ୟ ଓଭରରେ ଦଳୀୟ ସ୍କୋର ୫ ହୋଇଥିବା ବେଳେ ସର୍ଭିସେସ ଦୁଇଟି ଉଇକେଟ ହରାଇଥିଲା। ଓପନର ମୁମତାଜ କାଦିର ଓ ବ୍ୟାଟିଂ କ୍ରମ ୩ନଂରେ ଆସିଥିବା ରବି ଚୌହ୍ବାନ ଖାତା ଖୋଲିବା ପୂର୍ବରୁ ବସନ୍ତଙ୍କ ଶିକାର ହୋଇଥିଲେ। ପରେ ଅରୁଣ ବମାଲ ୧୮ରନରେ ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ଦ୍ୱାରା କ୍ୟାଚ୍‌ ଆଉଟ ହୋଇଥିଲେ। ୨୮ରନରେ ସର୍ଭିସେସ ୩ଟି ଉଇକେଟ ହରାଇ ସଙ୍କଟରେ ପଡ଼ିଥିଲା। ୪ର୍ଥ ଉଇକେଟରେ ସର୍ଭିସେସ୍‌ ୫୩ରନ ଯୋଡ଼ିଥିଲା। ଉଇକେଟ କିପର ନକୁଲ ବର୍ମା ୭୮ବଲରୁ ୫୩ରନ କରିଥିବା ବେଳେ ଓଡ଼ିଶାର ଯୁବ ତାରକା ପେସ୍‌ ବୋଲର ରାଜେଶ ମହାନ୍ତି ତାଙ୍କୁ କ୍ୟାଚ୍‌ ଆଉଟ କରାଇଥିଲେ। ୫ମ ଉଇକେଟରେ ୯୩ରନର ଭାଗିଦାରୀ ସୃଷ୍ଟି ହେବା ଯୋଗୁଁ ଦଳ ୨୦୦ଟପିବାକୁ ସକ୍ଷମ ହୋଇଥିଲା। ଅଧିନାୟକ ରଜତ ପାଲିୱାଲ ଓ ରାହୁଲ ସିଂ ଏହି ଗୁରୁତ୍ୱପୂର୍ଣ୍ଣ ଭାଗୀଦାରି ଗଢ଼ିଥିଲେ। ରଜତ ୫୮ରନରେ ଓ ରାହୁଲ ୫୫ରନ କରି ବସନ୍ତଙ୍କ ଶିକାର ହୋଇଥିଲେ। ୫ରନ ବ୍ୟବଧାନରେ ଏହି ଦୁଇ ଉଇକେଟ ପତନ ଘଟିଥିଲା। ପରେ ନିମ୍ନକ୍ରମର ବ୍ୟାଟ୍ସମ୍ୟାନ ସାଦବ ନଜର(୨୯ରନ), ଦିୱେଶ ପଠାନିଆ(୨୪ରନ) ଦ୍ରୁତ ଇନିଂସ ଖେଳିଥିଲେ।

Share