କଟକ ଅଫିସ,୧୩ା୨- ଚଳିତ ସିଜନର ଅନ୍ତିମ ଲିଗ ପର୍ଯ୍ୟାୟ ମ୍ୟାଚ୍ ବୁଧବାରଠାରୁ ଆରମ୍ଭ ହୋଇଛି। ବାରବାଟୀ ଷ୍ଟାଡିୟମରେ ଘରୋଇ ଓଡ଼ିଶା ଦଳ ଏହି ନିର୍ଣ୍ଣାୟକ ମ୍ୟାଚ୍ରେ ଝାଡ଼ଖଣ୍ଡକୁ ଭେଟିଛି। ପ୍ରଥମ ଦିବସ ଷ୍ଟମ୍ପ ଅପସାରଣ ସୁଦ୍ଧା ୪ ଉଇକେଟ ହରାଇ ଓଡ଼ିଶା ୨୦୫ରନ କରିଥିବା ବେଳେ ଯୁବ ପ୍ରତିଭା ଦେବାଶିଷ ସାମନ୍ତରାୟ ୬୭ରନରେ ଅପରାଜିତ ଅଛନ୍ତି। ୨୨୮ବଲରୁ କ୍ୟାରିୟରର ୩ୟ ଅର୍ଦ୍ଧଶତକ ହାସଲ କରିଥିବା ବାମହାତୀ ବ୍ୟାଟ୍ସମ୍ୟାନ ଦେବାଶିଷ ୩ୟ ଶତକ ସଂଗ୍ରହ କରିବା ଲକ୍ଷ୍ୟରେ ଅଛନ୍ତି। ଅନ୍ୟତମ ଓଡ଼ିଶା ବ୍ୟାଟ୍ସମ୍ୟାନ ଅନୁରାଗ ଷଡ଼ଙ୍ଗୀ ମଧ୍ୟ ଅର୍ଦ୍ଧଶତକ ହାସଲ କରିଛନ୍ତି।
ଅଙ୍କିତଙ୍କ ପ୍ରଥମ ପଦାର୍ପଣ
ଏହି ସିଜନରେ ଓଡ଼ିଶା ପକ୍ଷରୁ ସର୍ବାଧିକ ଉଇକେଟ ହାସଲ କରିଥିବା ରାଜେଶ ମହାନ୍ତି ଆଘାତ ଜନିତ ସମସ୍ୟା ଯୋଗୁଁ ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଥିଲେ। ତାଙ୍କ ସ୍ଥାନରେ ଡାହାଣହାତୀ ମିଡ଼ିୟମ ପେସ୍ ବୋଲର ତଥା ଅଲରାଉଣ୍ଡର ଅଙ୍କିତ ଯାଦବଙ୍କୁ ଦଳରେ ନିଆଯାଇଥିଲା। ୧୯୯୩ ନଭେମ୍ବର ୧୯ରେ ଜନ୍ମଗ୍ରହଣ କରିଥିବା ଝାରସୁଗୁଡ଼ାର ଅଙ୍କିତ୍ ପୂର୍ବରୁ ୧୪ ଟି ଲିଷ୍ଟ-ଏ ଓ ୧୦ଟି ଘରୋଇ ଟି୨୦ ମ୍ୟାଚ ଖେଳିଛନ୍ତି। ଦଳରେ ଅନ୍ୟ ୨ଟି ପରିବର୍ତ୍ତନ ମଧ୍ୟ କରାଯାଇଛି। ସ୍ପିନର ପପୁ ରାୟ ଓ ଅଲରାଉଣ୍ଡର ଅଭିଷେକ ରାଉତଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ଅଭିଜ୍ଞ ବସନ୍ତ ମହାନ୍ତି ଓ ଦେବାଶିଷ ସାମନ୍ତରାୟ ଚୂଡ଼ାନ୍ତ ଏକାଦଶକୁ ଫେରିଛନ୍ତି। ଝାଡ଼ଖଣ୍ଡ ଅଧିନାୟକ ସୌରଭ ତିୱାରୀ ଟସ୍ ଜିତି ଓଡ଼ିଶାକୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ। ଓପନର ଶାନ୍ତନୁ ମିଶ୍ର ୩୨ବଲରୁ ମାତ୍ର ୪ରନ କରି ଆଉଟ ହୋଇଥିଲେ। ଦଳୀୟ ସ୍କୋର ୨୯ ହୋଇଥିବା ବେଳେ ପେସ୍ ବୋଲର ଆଶିଷ କୁମାରଙ୍କ ବଲରେ ଶାନ୍ତନୁ ଏଲବିଡବ୍ଲ୍ୟୁ ହୋଇଥିଲେ। ଦ୍ୱିତୀୟ ଉଇକେଟରେ ଅନ୍ୟତମ ଓପନର ଅନୁରାଗ ଷଡ଼ଙ୍ଗୀ ଓ ଦେବାଶିଷ ସାମନ୍ତରାୟଙ୍କ ମଧ୍ୟରେ ୬୭ରନର ଭାଗିଦାରୀ ସୃଷ୍ଟି ହୋଇଥିଲା। ଏହି ଦୁଇ ଖେଳାଳି ରକ୍ଷଣାତ୍ମକ ଶୈଳୀରେ ବ୍ୟାଟିଂ କରିଥିଲେ। ୨୪ତମ ଓଭରରେ ଦଳୀୟ ସ୍କୋର ୫୦ ଟପିଥିଲା। ୮୬ବଲରୁ ଅନୁରାଗ ବ୍ୟକ୍ତିଗତ ୫୦ରନ ପୂରଣ କରିବା ସହ ୬୫ରନ କରି ଆଶିଷଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ପ୍ରଥମ ଶ୍ରେଣୀ କ୍ରିକେଟରେ ଅନୁରାଗଙ୍କର ଏହା ୧୦ତମ ଅର୍ଦ୍ଧଶତକ। ମଧ୍ୟକ୍ରମରେ କ୍ରିଜକୁ ଆସିଥିବା ଗୋବିନ୍ଦ ପୋଦ୍ଦାର ଓ ଅଧିନାୟକ ଶୁଭ୍ରାଂଶୁ ଶେଖର ସେନାପତି ଧିମା ଗତିରେ ବ୍ୟାଟିଂ କରିଥିଲେ ମଧ୍ୟ ଅଧିକ ସମୟ ତିଷ୍ଠି ପାରି ନଥିଲେ। ଗୋବିନ୍ଦ ୩୧ରନରେ ଓ ଶୁଭ୍ରାଂଶୁ ୧୯ରନରେ ଆଉଟ ହୋଇଥିଲେ। ଦେବାଶିଷ ଅତ୍ୟନ୍ତ ସତର୍କତାର ସହ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଥିଲା। ୧୭୬ବଲ ଖେଳି ସେ କ୍ୟାରିୟରର ୩ୟ ଅର୍ଦ୍ଧଶତକ ପୂରଣ କରିଥିଲେ। ପୂର୍ବତନ ଅଧିନାୟକ ବିପ୍ଳବ ସାମନ୍ତରାୟ ୧୬ରନରେ ଅପରାଜିତ ଅଛନ୍ତି। ହାତରେ ୬ ଉଇକେଟ ବାକି ଥିବା ଓଡ଼ିଶା ପ୍ରଥମ ଇନିଂସରେ ବଡ଼ସ୍କୋର ସଂଗ୍ରହ କରିବ ବୋଲି ଆଶା କରାଯାଉଛି। ଝାଡ଼ଖଣ୍ଡ ପକ୍ଷରୁ ଆଶିଷ କୁମାର ସର୍ବାଧିକ ୩ଟି ଉଇକେଟ ଅକ୍ତିଆର କରିଥିବା ବେଳେ ଉତ୍କର୍ଷ ସିଂ ଗୋଟିଏ ଉଇକେଟ ପାଇଛନ୍ତି।