Categories: ଖେଳ

ରଣଜୀ ଟ୍ରଫି: କର୍ଫ୍ୟୁ ଲାଗି ୪ର୍ଥ ଦିନ ଖେଳ ବାଧାପ୍ରାପ୍ତ

ନୂଆଦିଲ୍ଲୀ, ୧୨।୧୨ (ପି.ଟି.)- ନାଗରିକତ୍ୱ ସଂଶୋଧନ ବିଲ୍‌ (ସିଏବି) ପାର୍ଲାମେଣ୍ଟରେ ଅନୁମୋଦନ ଲାଭ କରିବା ପରେ ଉତ୍ତର-ପୂର୍ବ ସମେତ ଭାରତର ବିଭିନ୍ନ ରାଜ୍ୟରେ ଏହାକୁ ଜୋର୍‌ଦାର ବିରୋଧ କରାଯାଇଛି। ଏହି କାରଣରୁ ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆନୁକୂଲ୍ୟରେ ଦେଶର ବିଭିନ୍ନ ପ୍ରାନ୍ତରେ ଚାଲିଥିବା ରଣ୍‌ଜୀ ଟ୍ରଫି ମ୍ୟାଚ୍‌ ବାଧାପ୍ରାପ୍ତ ହୋଇଛି। ଏହିକ୍ରମରେ ଗୁଆହାଟୀ ଓ ଅଗରତାଲାରେ ଖେଳାଯାଇଥିବା ୨ଟି ମ୍ୟାଚ୍‌ର ୪ର୍ଥ ଦିବସ ଖେଳକୁ ଗୁରୁବାର ବାତିଲ କରି ଦିଆଯାଇଛି। ଗୁଆହାଟୀର ବର୍ଷାପଡ଼ା କ୍ରିକେଟ୍‌ ଷ୍ଟାଡିୟମରେ ଘରୋଇ ଆସାମ ଓ ସର୍ଭିସେସ ମଧ୍ୟରେ ମ୍ୟାଚ୍‌ ଚାଲିଥିଲା। ସେହିଭଳି ଅଗରତାଲାରେ ଘରୋଇ ତ୍ରିପୁରା ଓ ଝାଡ଼ଖଣ୍ଡ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଗୁରୁବାର ମ୍ୟାଚ୍‌ର ଅନ୍ତିମ ଦିବସ ହୋଇଥିଲେ ମଧ୍ୟ କର୍ଫ୍ୟୁ ଲାଗି ୪ର୍ଥ ଦିବସ ଖେଳକୁ ବନ୍ଦ କରାଯାଇଛି। ‘ଖେଳକୁ ବନ୍ଦ ରଖିବାକୁ ଆମେ ରାଜ୍ୟ ଆସୋସିଏଶନକୁ ପରାମର୍ଶ ଦେଇଛୁ। ଖେଳାଳି ଓ ମ୍ୟାଚ୍‌ ଅଫିସିଆଲଙ୍କୁ ହୋଟେଲରେ ରହିବାକୁ କୁହାଯାଇଛି। ଏହି ପରିସ୍ଥିତିରେ ଖେଳାଳି ଓ ମ୍ୟାଚ୍‌ ଅଫିସିଆଲଙ୍କ ସୁରକ୍ଷା ଜରୁରୀ’ ବୋଲି ବିସିସିଆଇ ଜିଏମ୍‌ (କ୍ରିକେଟ୍‌ ଅପରେଶନ)ସବା କରିମ୍‌ କହିଛନ୍ତି। ମ୍ୟାଚ୍‌ର ଅନ୍ତିମ ଦିନ ଖେଳ ବାତିଲ କରାଯାଇଥିବାରୁ ଉଭୟ ଦଳ ମଧ୍ୟରେ ପଏଣ୍ଟ ଭାଗବଣ୍ଟା ହେବ କି ନାହିଁ ତାହା ପରେ ଆମେ ନିଷ୍ପତ୍ତି ନେବୁ। ଉଭୟ ଭେନ୍ୟୁରୁ ଆମେ ନିୟମିତ ଅନ୍ତରରେ ରିପୋର୍ଟ ସଂଗ୍ରହ କରୁଛୁ। ସେହିଭଳି ଆୟୋଜକ ଆସୋସିଏଶନ ସହିତ ଯୋଗାଯୋଗରେ ରହିଛୁ। ସ୍ଥିତି ଉପରେ ନଜର ମଧ୍ୟ ରଖାଯାଇଛି। କର୍ଫ୍ୟୁ ଉଠିଲା ପରେ ଉଭୟ ଦଳର ଖେଳାଳିଙ୍କୁ ହୋଟେଲ ନ ଛାଡ଼ିବା ପାଇଁ କୁହାଯାଇଛି। ଆୟୋଜକ ଆସୋସିଏଶନରୁ ଯାହା ନିର୍ଦ୍ଦେଶ ଆସିବ ସେହି ଅନୁଯାୟୀ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କରିମ ଏହି ଅବସରରେ କହିଛନ୍ତି। ଗୁଆହାଟୀରେ ସର୍ଭିସେସ ପକ୍ଷରୁ ଧାର୍ଯ୍ୟ ୨୪୨ ରନର ଲକ୍ଷ୍ୟକୁ ପିଛା କରି ଆସାମ ୫ ଉଇକେଟ୍‌ ହରାଇ ୭୪ ରନ୍‌ ସଂଗ୍ରହ କରିଛି। ସେହିଭଳି ଅଗରତାଲାରେ ଝାଡ଼ଖଣ୍ଡ ୨ୟ ଇନିଂସରେ ୫ ଉଇକେଟ୍‌ ହରାଇ ୩୫୮ ରନ ସଂଗ୍ରହ କରିବା ସହ ୨୦୫ ରନ୍‌ ଅଗ୍ରଣୀ ଲାଭ କରିଛି। ପ୍ରଥମ ଇନିଂସରେ ଝାଡ଼ଖଣ୍ଡ ୧୩୬ ଓ ତ୍ରିପୁରା ୨୮୯ ରନ କରିଥିଲା।

Share