Posted inଖେଳ

ରଣଜୀ ଟ୍ରଫି କ୍ୱାର୍ଟର ଫାଇନାଲ: ସୁଯୋଗ ହାତଛଡ଼ା କଲା ଓଡ଼ିଶା

ଭୁବନେଶ୍ୱର, ୨୧।୨(କ୍ରୀଡ଼ା ପ୍ରତିନିଧି)-କଟକ ଟାଙ୍ଗୀସ୍ଥିତ ଡ୍ରିମ୍ସ ଗ୍ରାଉଣ୍ଡରେ ଗୁରୁବାର ଆରମ୍ଭ ହୋଇଛି ଓଡ଼ିଶା-ବେଙ୍ଗଲ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ। ପ୍ରଥମ ସେସନରେ ୧୬.୨ ଓଭର ମଧ୍ୟରେ ମାତ୍ର ୪୬ ରନ ବିନିମୟରେ ୫ ଉଇକେଟ ହାସଲ କରିଥିବା ଓଡ଼ିଶା ସୁଯୋଗ ହାତଛଡ଼ା କରିଛି। ଅନୁସ୍ତୂପ ମଜୁମଦାରଙ୍କ ଶତକ ଏବଂ ଶାହବାଜ ଅହମ୍ମଦଙ୍କ କ୍ୟାରିୟର ଶ୍ରେଷ୍ଠ ଇନିଂସ ବଳରେ ବେଙ୍ଗଲ ସଫଳ ପ୍ରତ୍ୟାବର୍ତ୍ତନ କରିଛି। ପ୍ରଥମ ଦିନ ଖେଳ ଶେଷ ବେଳକୁ ବେଙ୍ଗଲ ୮୬ ଓଭରରେ ୬ ଉଇକେଟ ହରାଇ ୩୦୮ ରନ ସଂଗ୍ରହ କରିଛି। ମଜୁମଦାର ୧୩୬ ଓ ଶାହବାଜ ୮୨ ରନରେ ଅପରାଜିତ ଅଛନ୍ତି।
ଘାତକ ବୋଲିଂ ପରେ ଦିଗହରା
ଟସ୍‌ ଜିତି ଓଡ଼ିଶା ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଅଧିନାୟକଙ୍କ ନିଷ୍ପତ୍ତିକୁ ଉଚିତ ସାବ୍ୟସ୍ତ କରି ଦ୍ରୁତ ବୋଲରମାନେ ଘାତକ ବୋଲିଂ କରି ବେଙ୍ଗଲକୁ ଘାଇଲା କରିଦେଇଥିଲେ। କୌଶିକ ଘୋଷ ୯, ଅଧିନାୟକ ଅଭିମନ୍ୟୁ ଈଶ୍ୱରନ ୭, ଅଭିଷେକ ରମଣ ୧, ଅର୍ନବ ନନ୍ଦି ୨୪ ଓ ମନୋଜ ତିଓ୍ବାରୀ ୪ ରନରେ ଆଉଟ ହେବାରୁ ବେଙ୍ଗଲକୁ ବ୍ୟାକ୍‌ଫୁଟକୁ ଠେଲି ଦେଇଥିଲା ଓଡ଼ିଶା। ଏହାପରେ ହାଲ୍‌କା ମନୋଭାବ ହେଉ କିମ୍ବା ଦିଗହରା ବୋଲିଂ ଯୋଗୁ ଓଡ଼ିଶା ବୋଲରମାନେ ଆଉ ସଫଳତା ପାଇଲେ ନାହିଁ। ବଲ୍‌ ପୁରୁଣା ହେବା ସହିତ ପିଚ୍‌ରୁ ଆର୍ଦ୍ରତା କମିବାପରେ ବେଙ୍ଗଲ ବ୍ୟାଟ୍ସମ୍ୟାନମାନେ ଧୈର୍ଯ୍ୟର ସହିତ ବ୍ୟାଟିଂ କରି ସଫଳ ପ୍ରତ୍ୟାବର୍ତ୍ତନ କଲେ।
ମଜୁମ୍‌ଦାରଙ୍କ ଶତକ
ବେଙ୍ଗଲକୁ ବିପଦରୁ ଉଦ୍ଧାର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ଅନୁସ୍ତୂପ ମଜୁମଦାର। ସେ ୬ ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିଲେ ହେଁ ଆତ୍ମବିଶ୍ୱାସର ସହ ବ୍ୟାଟିଂ କରି କ୍ୟାରିୟରର ୮ମ ପ୍ରଥମଶ୍ରେଣୀ ଶତକ ହାସଲ କରି ଦଳକୁ ବିପଦରୁ ଉଦ୍ଧାର କରିଥିଲେ। ୧୨୮ ବଲ୍‌ରୁ ଶତକ ପୂରଣ କରିଥିବା ମଜୁମଦାର ମୋଟ ୧୯୪ ବଲ୍‌ ଖେଳି ୨୦ ଚୌକା ସହାୟତାରେ ୧୩୬ ରନରେ ଅପରାଜିତ ରହିଛନ୍ତି। ଶତକୀୟ ଇନିଂସ ଅବସରରେ ସେ ୨ଟି ଗୁରୁତ୍ୱପୂର୍ଣ୍ଣ ଭାଗୀଦାରି ଗଢ଼ି ବେଙ୍ଗଲକୁ ବଡ଼ ସ୍କୋର ଆଡ଼କୁ ନେଇ ଯାଇଛନ୍ତି। ୧୬ ରନରେ ଜୀବନଦାନ ପାଇଥିବା ଶ୍ରୀବତ୍ସ ଗୋସ୍ବାମୀ ୩୪ ରନ କରି ଆଉଟ ହୋଇଥିଲେ। ଫଳରେ ମଜୁମଦାର-ଶ୍ରୀବତ୍ସ ୬ଷ୍ଠ ଉଇକେଟ ଯୋଡ଼ିରେ ମୂଲ୍ୟବାନ ୯୫ ରନ ସଂଗ୍ରହ କରି ଦଳକୁ ବିପଦରୁ ଉଦ୍ଧାର କରିଥିଲେ। ଶ୍ରୀବତ୍ସ ଆଉଟ ହେବାପରେ ବେଙ୍ଗଲର ଜାଡେଜା କୁହାଯାଉଥିବା ଶାହବାଜ ଅହମ୍ମଦ କ୍ରିଜକୁ ଆସିଥିଲେ। ମଜୁମଦାର ଓ ଶାହବାଜଙ୍କ ଆତ୍ମବିଶ୍ୱାସପୂର୍ଣ୍ଣ ବ୍ୟାଟିଂ ଆଗରେ ଓଡ଼ିଶା ବୋଲରଙ୍କ ପ୍ରଦର୍ଶନ ଫିକା ପଡ଼ି ଯାଇଥିଲା। ଏହି ଅବସରରେ ଶାହବାଜ କ୍ୟାରିୟର ଶ୍ରେଷ୍ଠ ଇନିଂସ ଖେଳି ୮୨ ରନରେ ଅପରାଜିତ ରହିଥିଲେ। ପୂର୍ବରୁ ତାଙ୍କର ସର୍ବାଧିକ ସ୍କୋର ଥିଲା ୬୧* ରନ। ଚଳିତ ସିଜନରେ ଜୟପୁରଠାରେ ଅନୁଷ୍ଠିତ ରାଜସ୍ଥାନ ବିପକ୍ଷ ମ୍ୟାଚରେ ଶାହବାଜ ୬୧ ରନ କରି ଅପରାଜିତ ରହିଥିଲେ। ଦୁହେଁ ଅସମାପ୍ତ ୭ମ ଉଇକେଟ ଯୋଡ଼ିରେ ୧୬୭ ରନ ଯୋଗକରି ଓଡ଼ିଶା ଶିବିରରେ ନୈରାଶ୍ୟ ଖେଳାଇ ଦେଇଛନ୍ତି।
ସତର୍କ ଘଣ୍ଟି
ପ୍ରଥମେ ମଜୁମଦାର-ଶ୍ରୀବତ୍ସ ଏବଂ ପରେ ମଜୁମଦାର-ଶାହବାଜଙ୍କ ପାର୍ଟନରଶିପ୍‌ ଓଡ଼ିଶା ପାଇଁ ସତର୍କ ଘଣ୍ଟି ସଦୃଶ ହୋଇଛି। ୪୬ ରନରେ ୫ ଉଇକେଟ ହରାଇଥିଲେ ହେଁ ଲଞ୍ଚ୍‌ ବ୍ରେକ୍‌ ବେଳକୁ ୧୧୧/୫, ଚା’ ବିରତି ସୁଦ୍ଧା ୨୦୯/୬ ଓ ପ୍ରଥମ ଦିନ ଶେଷସୁଦ୍ଧା ୩୦୮/୬ ରନ ସଂଗ୍ରହ କରି ବେଙ୍ଗଲ ନିଜ ଦକ୍ଷତା ଦେଖାଇଛି। ସୁଯୋଗ ହାତପାଆନ୍ତାରେ ଥାଇ ମଧ୍ୟ ତାହାର ସଦ୍‌ବ୍ୟବହାର କରି ନ ପାରିବା ତୃତୀୟ ସେସନରେ ଓଡ଼ିଶା ଖେଳାଳିଙ୍କ ବଡି ଲାଙ୍ଗୁଏଜରୁ ସ୍ପଷ୍ଟ ବାରି ହେଉଥିଲା। ସୂର୍ଯ୍ୟକାନ୍ତ ପ୍ରଧାନ ଓ ପ୍ରଥମଶ୍ରେଣୀ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିବା ପ୍ରୀତ୍‌ କନଓ୍ବର ସିଂ ଚୌହାନ ୨ଟି ଲେଖାଏ ଉଇକେଟ ନେଇଥିବାବେଳେ ଭେଟେରାନ ବସନ୍ତ ମହାନ୍ତି ଓ ଦେବବ୍ରତ ପ୍ରଧାନ ଗୋଟିଏ ଲେଖାଏ ଉଇକେଟ ନେଇଛନ୍ତି। ଶୁକ୍ରବାର ଦ୍ୱିତୀୟ ଦିବସର ପ୍ରଥମ ସେସନ ଓଡ଼ିଶା ପାଇଁ ଅନେକ ମହତ୍ତ୍ୱ ରଖୁଛି। ବେଙ୍ଗଲ ୩୫୦ ସ୍କୋର ଅତିକ୍ରମ କଲେ ଓଡ଼ିଶା ପାଇଁ ବିପଦ ସାବ୍ୟସ୍ତ ହୋଇପାରେ ବୋଲି କ୍ରିକେଟ ପଣ୍ଡିତମାନେ ପୂର୍ବାନୁମାନ କରୁଛନ୍ତି। ୨ ବର୍ଷ ପରେ ଓଡ଼ିଶା କ୍ୱାର୍ଟର ଫାଇନାଲ ଖେଳୁଥିବାରୁ ଏବେ ଆଶା ଯେତିକି ଆଶଙ୍କା ମଧ୍ୟ ସେତିକି ରହିଛି।
ସଂକ୍ଷିପ୍ତ ସ୍କୋର
ବେଙ୍ଗଲ ପ୍ରଥମ ଇନିଂସ: ୩୦୮/୬ (ଅନୁସ୍ତୂପ ମଜୁମଦାର-୧୩୬*, ଶାହାବାଜ ଅମମ୍ମଦ-୮୨*, ଶ୍ରୀବତ୍ସ ଗୋସ୍ବାମୀ-୩୪, ଅର୍ନବ ନନ୍ଦି-୨୪, ସୂର୍ଯ୍ୟକାନ୍ତ ପ୍ରଧାନ-୨/୯୬, ପ୍ରୀତ୍‌ କନଓ୍ବର ସିଂ ଚୌହାନ-୨/୫୨, ବସନ୍ତ ମହାନ୍ତି-୧/୪୮, ଦେବବ୍ରତ ପ୍ରଧାନ-୧/୫୪)।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ସାଣ୍ଟା କ୍ଲଜ୍’ ବେଶରେ ଆସି ଇଣ୍ଟରନେଟରେ ନିଆଁ ଲଗାଇଲେ ଧୋନୀ

ଭୁବନେଶ୍ୱର,୨୫।୧୨: ଭାରତର କିମ୍ବଦନ୍ତୀ ଅଧିନାୟକ ପୁଣିଥରେ ଇଣ୍ଟରନେଟ୍ ନିଆଁ ଲଗାଇଛନ୍ତି। ଖ୍ରୀଷ୍ଟମାସରେ ଏକ ନୂତନ ଅବତାରରେ ଆଶି ସେ ସମସ୍ତଙ୍କୁ ଚମକି ଦେଇଛନ୍ତି। ଧୋନି ପାଞ୍ଚ...

”ପ୍ରଥମ ଦେଖାରେ ପ୍ରେମ”, ବିମାନରେ ଦେଖା ହେବା ପରେ ବିବାହ କରିବାକୁ ନେଇଥିଲେ ନିଷ୍ପତ୍ତି

ହାଇଦ୍ରାବାଦ: ଭାରତର ଷ୍ଟାର ସଟଲର ପିଭି. ସିନ୍ଧୁ ନିକଟରେ ଭେଙ୍କଟ୍ଟ ଦତ୍ତ ସାଇଙ୍କୁ ବିବାହ କରିଛନ୍ତି। ନିକଟତମ ସମ୍ପର୍କୀୟଙ୍କ ଗହଣରେ ଡିସେମ୍ବର ୨୨ ରେ ସେମାନଙ୍କର...

ପ୍ରଥମ ଭାରତୀୟ ଦ୍ରୁତ ବୋଲର୍‌ ଭାବେ ଇତିହାସ ରଚିଲେ ଜସପ୍ରିତ ବୁମ୍‌ରା

ନୂଆଦିଲ୍ଲୀ,୨୫।୧୨: ଦ୍ରୁତ ବୋଲର୍‌ ଜସପ୍ରିତ ବୁମ୍‌ରା ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ର ବୋଲିଂ ର଼୍ୟାଙ୍କିଂରେ ୯୦୪ ଅଙ୍କ ହାସଲ କରି ଇତିହାସ ରଚିଛନ୍ତି। ସେ ସ୍ପିନର ରବିଚନ୍ଦ୍ରନ...

ଘୋଷଣା ହେଲା ଚାମ୍ପିୟନ୍ସ ଟ୍ରଫି ୨୦୨୫ କାର୍ଯ୍ୟସୂଚୀ: ଜାଣନ୍ତୁ କେଉଁଦିନ ଭାରତ-ପାକିସ୍ତାନ ମୁକାବିଲା

ନୂଆଦିଲ୍ଲୀ,୨୪ା୧୨: ଆସନ୍ତା ବର୍ଷ ପାକିସ୍ତାନ ଦ୍ୱାରା ଆୟୋଜିତ ହେବାକୁ ଥିବା ଚାମ୍ପିଅନ୍ସ ଟ୍ରଫି ୨୦୨୫ ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ପ୍ରକାଶ...

ଅଶ୍ୱିନୀଙ୍କ ସ୍ଥାନ ନେବେ ଏହି ଖେଳାଳି : ଜାଣନ୍ତୁ ସେ କିଏ…

ମେଲବୋର୍ନ,୨୪ା୧୨: ମୁମ୍ବାଇ ଅଫ୍‌-ସ୍ପିନର ତନୁଷ କୋଟିଆନ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ସେଠାରେ ଭାରତୀୟ କ୍ରିକେଟ ଦଳରେ ଯୋଗଦେବେ। ନିକଟରେ ଅବସର ନେଇଥିବା ରବିଚନ୍ଦ୍ରନ ଅଶ୍ୱିନୀଙ୍କ ସ୍ଥାନରେ...

ମୁଁ ବଞ୍ଚିଛି.. ଏମିତି କାହିଁକି କହିଲେ ବିନୋଦ କାମ୍ୱଲି

ନୂଆଦିଲ୍ଲୀ,୨୪/୧୨: ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲିଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଯାଇଛି। ଏହାପରେ ତାଙ୍କୁ ମହାରାଷ୍ଟ୍ରର ଥାନେସ୍ଥିତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯେଉଁଠାରେ ଡାକ୍ତରୀ ଦଳ ତାଙ୍କର...

ହାତକୁ ଦି’ ହାତ ହେଲେ ପିଭି ସିନ୍ଧୁ

ଭାରତର ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ରାଜସ୍ଥାନର ଉଦୟପୁରରେ ଧୂମଧାମରେ ସେ ବ୍ୟବସାୟୀ ଭେଙ୍କଟ ଦତ୍ତା ସାଇଙ୍କ ହାତ ଧରିଛନ୍ତି।...

ବଡ଼ ରେକର୍ଡ କଲେ ପାଣ୍ଡ୍ୟା: ବିସ୍ଫୋରକ ଇନିଂସ ଖେଳି…

ନୂଆଦିଲ୍ଲୀ,୨୩।୧୨: ବିଜୟ ହଜାରେ ଟ୍ରଫି ୨୦୨୪ରେ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ପ୍ରଥମେ ବ୍ୟାଟିଂ କରି ବରୋଦା ୪୦୦ ରନ ମାର୍କ ଅତିକ୍ରମ କରିଛନ୍ତି। ଏହି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri