Categories: ଖେଳ

ରଣଜୀ ଟ୍ରଫି: ଦୃଢ଼ ସ୍ଥିତିରେ ଓଡ଼ିଶା; ଅଭିଷେକ-ଦେବବ୍ରତଙ୍କ ଶତକୀୟ ଭାଗୀଦାରି

କଟକ ଅଫିସ,୨୯ା୧-  ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଓଡ଼ିଶା-ଆସାମ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ୍‌ର ଦ୍ୱିତୀୟ ଦିବସ ଖେଳ ଶେଷ ହୋଇଛି। ଘରୋଇ ପରିବେଶରେ ଓଡ଼ିଶାର ପ୍ରଦର୍ଶନ ଆସାମ ଉପରେ ଭାରି ରହିଛି। ଓଡ଼ିଶାର ପ୍ରଥମ ଇନିଂସରେ ୪୩୬ରନ କରିବାପରେ ଆସାମ ୩ ଉଇକେଟ ବିନିମୟରେ ୫୯ରନ କରିଛି। ମ୍ୟାଚ୍‌ର ୩ୟ ଦିବସ ତଥା ବୁଧବାର ଖେଳର ପ୍ରଥମ ସେସନ୍‌ରେ ଆସାମକୁ ଅଲଆଉଟ କରି ମ୍ୟାଚ୍‌କୁ ନିଜ କବ୍‌ଜାକୁ ନେବା ଲକ୍ଷ୍ୟରେ ରହିଛି ଓଡ଼ିଶା।
ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ଓଡ଼ିଶା ୩ ଉଇକେଟ ହରାଇ ୨୧୫ରନ କରିଥିଲା। ଗୋବିନ୍ଦ ପୋଦ୍ଦାର ୫୪ରନରେ ଓ ବିପ୍ଳବ ସାମନ୍ତରାୟ ୩୨ରନରେ ଅପରାଜିତ ଥିଲେ। ମଙ୍ଗଳବାର ଖେଳ ଆରମ୍ଭର ୩ୟ ଓଭରରେ ଗୋବିନ୍ଦଙ୍କୁ ୫୮ରନରେ ରଞ୍ଜିତ ମାଲି ଏଲବିଡବ୍ଲ୍ୟୁ କରିଥିଲେ। ପରବର୍ତ୍ତୀ ଓଭରରେ ଅରୂପ ଦାସଙ୍କ ଶିକାର ହୋଇଥିଲେ ବିପ୍ଳବ। ବିପ୍ଳବ ୩୭ରନ କରିଥିବା ବେଳେ କ୍ଲିନ୍‌ ବୋଲ୍ଡ ହୋଇଥିଲେ। ୨୨୪ରନରେ ଓଡ଼ିଶା ୫ମ ଉଇକେଟ ହରାଇଥିଲା। ତେବେ ଅଭିଷେକ ରାଉତ ଓ ଦେବବ୍ରତ ପ୍ରଧାନଙ୍କ ଶତକୀୟ ଭାଗୀଦାରି ଯୋଗୁ ଦଳୀୟ ସ୍କୋର ୪୦୦ ଅତିକ୍ରମ କରିଥିଲା। ଉଇକେଟ କିପର ରାଜେଶ ଧୁପର ୧୩ରନରେ ୬ଷ୍ଠ ବ୍ୟାଟ୍ସମ୍ୟାନ ଭାବେ ଆଉଟ ହେବା ପରେ ଅଭିଷେକ-ଦେବବ୍ରତ ୭ମ ଉଇକେଟ ଯୋଡ଼ିରେ ୧୩୦ରନ ସଂଗ୍ରହ କରିଥିଲେ। ଅଭିଷେକ ୮୧ବଲରୁ ଓ ଦେବବ୍ରତ ୮୮ବଲରୁ ଅର୍ଦ୍ଧଶତକ ପୂରଣ କରିଛନ୍ତି। ଅଭିଷେକ ୭୧ରନ କରିଥିବା ବେଳେ ପ୍ରିତମ ଦାସଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ତାଙ୍କ ଇନିଂସରେ ୯ଟି ଚୌକା ଦେଖିବାକୁ ମିଳିଥିଲା। ବ୍ୟାଟିଂ କ୍ରମ ୯ନଂରେ ସୂର୍ଯ୍ୟକାନ୍ତ ପ୍ରଧାନ କ୍ରିଜ୍‌କୁ ଆସିବା ମାତ୍ରେ ଆକ୍ରମଣାତ୍ମକ ଶୈଳୀରେ ଖେଳିଥିଲେ। ତେବେ ଡ୍ରିଙ୍କ୍ସ ବ୍ରେକ୍‌ର ପୂର୍ବ ଓ ପରବର୍ତ୍ତୀ ଓଭରରେ ଓଡ଼ିଶା ୨ଟି ଉଇକେଟ ହରାଇଥିଲା। ଦେବବ୍ରତ ୭୯ରନରେ ଓ ରାଜେଶ ମହାନ୍ତି ୧୨ରନରେ ପ୍ୟାଭିଲିୟନ ଫେରିଥିଲେ। ୧୫ବଲରୁ ୩ ଚୌକା ଓ ୧ ଛକା ବଳରେ ସୂର୍ଯ୍ୟକାନ୍ତ ୩୧ରନ କରି ଅନ୍ତିମ ବ୍ୟାଟ୍ସମ୍ୟାନ ଭାବେ ଆଉଟ ହୋଇଥିଲେ। ଆସାମ ପକ୍ଷରୁ ଅରୁପ ଦାସ ଓ ରଞ୍ଜିତ ମାଲି ୪ଟି ଲେଖାଏ ଉଇକେଟ ହାସଲ କରିଥିବା ବେଳେ ପ୍ରୀତମ ଦାସ ୨ଟି ଉଇକେଟ ପାଇଥିଲେ।
ପ୍ରଥମ ଇନିଂସ ଆରମ୍ଭ କରି ଆସାମ ୩୩ଓଭର ଖେଳି ୩ ଉଇକେଟ ବିନିମୟରେ ମାତ୍ର ୫୯ରନ କରିଛି। ଦ୍ୱିତୀୟ ଓଭରର ଶେଷ ବଲରେ ବସନ୍ତ ଆସାମର ଓପନର ବିପ୍ଳବ ସାଇକିଆଙ୍କୁ କ୍ଲିନ୍‌ ବୋଲ୍ଡ କରିଥିଲେ। ଅନ୍ୟତମ ଓପନର ଶୁଭମ ମଣ୍ଡଳ ୧୨ରନରେ ସୂର୍ଯ୍ୟକାନ୍ତଙ୍କ ଶିକାର ହୋଇଥିଲେ। ଗୋକୁଳ ଶର୍ମା ୮ରନରେ ରନଆଉଟ ହୋଇଥିବା ବେଳେ ରିଷଭ ଦାସ ୨୪ ଓ ରିୟାନ ପରାଗ ୧୪ରନରେ ଅପରାଜିତ ଅଛନ୍ତି। ପ୍ରଥମ ଇନିଂସରେ ଆସାମ ୩୭୭ରନ ପଛରେ ରହିଛି।
ଫଲୋଅନ ଦେବାକୁ ଚେଷ୍ଟା କରିବୁ
ପିଚ୍‌ ଏବେ ସାମାନ୍ୟ ଧିମା ହୋଇଛି। ତଥାପି ପେସ୍‌ ବୋଲରମାନଙ୍କ ପ୍ରାଧାନ୍ୟ ରହିବ। ୩ୟ ଦିବସର ପ୍ରଥମ ସେସନ ଖେଳ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହି ସେସନ୍‌ରେ ଆସାମକୁ ଅଲଆଉଟ କରିବାକୁ ଲକ୍ଷ୍ୟ ରଖିଛୁ। ଅଳ୍ପ ରନରେ ଅଲଆଉଟ କରିବା ସହ ଫଲୋଅନ ଦେଇ ପୁନର୍ବାର ବ୍ୟାଟିଂ ଆମନ୍ତ୍ରଣ କରିବାକୁ ଚେଷ୍ଟା କରିବୁ ବୋଲି ଅଧିନାୟକ ଶୁଭ୍ରାଂଶୁ ଶେଖର ସେନାପତି କହିଛନ୍ତି।
ସୂର୍ଯ୍ୟକାନ୍ତଙ୍କ ସୁପର ଫିଲ୍ଡିଂ
ଆସାମ ଅଧିନାୟକ ଗୋକୁଳ ଶର୍ମାଙ୍କୁ ରନଆଉଟ କରିବା ଓଡ଼ିଶା ନିମନ୍ତେ ଏକ ବଡ ବ୍ରେକଥ୍ରୁ ଥିଲା। ଆସାମ ଅତ୍ୟନ୍ତ ଧିମା ଗତିରେ ବ୍ୟାଟିଂ କରିବା ସହିତ ଭାଗୀଦାରି ଯୋଡ଼ିବାକୁ ଚେଷ୍ଟା କରୁଥିଲା। ଅଧିନାୟକ ଗୋକୁଳ ମିଡ୍‌ଅନ ଅଞ୍ଚଳକୁ ମାରିଥିବା ଏକ ଶଟ୍‌କୁ ସୂର୍ଯ୍ୟକାନ୍ତ ଚମତ୍କାର ଫିଲ୍ଡିଂ କରି ଅଟକାଇ ଦେଇଥିଲେ। ଇତି ମଧ୍ୟରେ ଗୋକୁଳ ବୋଲିଂ ପାର୍ଶ୍ୱ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲେ। ହେଲେ ରିଷଭ ଅନ୍ୟ ପାର୍ଶ୍ୱରୁ ରନ ନ ନେବା ଫଳରେ ଗୋକୁଳଙ୍କୁ ଫେରିବାକୁ ପଡ଼ିଥିଲା। ସୂର୍ଯ୍ୟକାନ୍ତ ବଲକୁ ଥ୍ରୋ କରିଥିଲେ ସୁଦ୍ଧା ଏହା ଉଇକେଟ କିପର ରାଜେଶଙ୍କ ହାତରୁ ମିସ୍‌ ହୋଇଥିଲା। ପରେ ଗୋବିନ୍ଦ ଓ ଅଭିଷେକଙ୍କ ସହାୟତାରେ ଗୋକୁଳ ରନ୍‌ଆଉଟ୍‌ ହୋଇଥିଲେ।

Share