Categories: ଖେଳ

ରଣଜୀ ଟ୍ରଫି: ମହାରାଷ୍ଟ୍ରର ଇନିଂସ ପରାଜୟ

ନୂଆଦିଲ୍ଲୀ, ୫।୧(ପି.ଟି.)- ମିଡିୟମ ପେସର ଦିଓ୍ବେଶ ପଠାନିଆ ଓ ସଚିଦାନନ୍ଦ ପାଣ୍ଡେ ଦମ୍‌ଦାର ବୋଲିଂ ପ୍ରଦର୍ଶନ କରି ମହାରାଷ୍ଟ୍ର ବିପକ୍ଷରେ ସର୍ଭିସେସକୁ ଇନିଂସ ବିଜୟୀ କରାଇଛନ୍ତି। ସ୍ଥାନୀୟ ପଲାମ ଏ ଷ୍ଟାଡିୟମରେ ଖେଳାଯାଇଥିବା ରଣଜୀ ଟ୍ରଫି ଗ୍ରୁପ୍‌ ସି’ ମ୍ୟାଚ୍‌ରେ ସର୍ଭିସେସ ରବିବାର ଏକ ଇନିଂସ ୯୪ ରନରେ ମହାରାଷ୍ଟ୍ରକୁ ପରାସ୍ତ କରି ୭ ପଏଣ୍ଟ ହାସଲ କରିଛି। ମୋଟ ୮ ଉଇକେଟ ହାସଲ କରିଥିବା ସଚିଦାନନ୍ଦ ପାଣ୍ଡେ ପ୍ଲେୟାର ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଛନ୍ତି।
ଟସ୍‌ ଜିତି ମହାରାଷ୍ଟ୍ର ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୩୦.୨ ଓଭରରେ ୪୪ ରନ କରି ଅଲଆଉଟ ହୋଇଥିଲା। ଜବାବରେ ସର୍ଭିସେସ୍‌ ପ୍ରଥମ ଇନିଂସରେ ୯୫.୨ ଓଭରରେ ୨୮୫ ରନ କରି ଅଲଆଉଟ ହେବା ସହ ୨୪୧ ରନର ଅଗ୍ରଣୀ ହାସଲ କରିଥିଲା। ଏହାପରେ ଦ୍ୱିତୀୟ ଇନିଂସ ଆରମ୍ଭ କରି ମହାରାଷ୍ଟ୍ର ୪୮.୧ ଓଭରରେ ୧୪୭ ରନ କରି ଅଲଆଉଟ ହୋଇଥିଲା। ଫଳରେ ସର୍ଭିସେସ୍‌ ଏକ ଇନିଂସ ଓ ୯୪ ରନରେ ବିଜୟୀ ହୋଇଥିଲା। ଅସମାପ୍ତ ଦ୍ୱିତୀୟ ଇନିଂସ ସ୍କୋର ୯୩/୫ରୁ ଖେଳ ଆରମ୍ଭ କରି ମହରାଷ୍ଟ୍ର ରବିବାର ଅଲଆଉଟ ହୋଇଥିଲା। ଓଭରନାଇଟ୍‌ ବ୍ୟାଟ୍ସମ୍ୟାନ ଅଧିନାୟକ ନୌସାଦ୍‌ ଏସ୍‌ ଶେଖ୍‌ ୪୦ ରନରୁ ଖେଳ ଆରମ୍ଭ କରି ୪୧ ରନ କରି ଆଉଟ ହୋଇଥିଲେ। ସେହିପରି ୩୩ ରନରୁ ଖେଳ ଆରମ୍ଭ କରି ଉଇକେଟକିପର ବ୍ୟାଟ୍ସମ୍ୟାନ ବିଶାନ୍ତ ମୋରେ ୩୬ ରନ କରି ଆଉଟ ହାଇଥିଲେ। ଅନ୍ୟମାନେ ବିଫଳ ହୋଇଥିଲେ। ବୋଲିଂରେ ସର୍ଭିସେସ୍‌ ତରଫରୁ ଦିଓ୍ବେଶ ପଠାନିଆ ଓ ସଚିଦାନନ୍ଦ ପାଣ୍ଡେ ୫ଟି ଲେଖାଏ ଉଇକେଟ ଅକ୍ତିଆର କରିଥିଲେ।
ସଂକ୍ଷିପ୍ତ ସ୍କୋର:
ମହାରାଷ୍ଟ୍ର ପ୍ରଥମ ଇନିଂସ- ୩୦.୨ ଓଭରରେ ୪୪ ଅଲଆଉଟ।
ସର୍ଭିସେସ୍‌ ପ୍ରଥମ ଇନିଂସ- ୯୫.୨ ଓଭରରେ ୨୮୫ ଅଲଆଉଟ।
ମହାରାଷ୍ଟ୍ର ଦ୍ୱିତୀୟ ଇନିଂସ- ୪୮.୧ ଓଭରରେ ୧୪୭ ଅଲଆଉଟ
(ନୌସାଦ ଶେକ- ୪୧, ମୋରେ- ୩୬, ପଠାନିଆ- ୫/୪୯, ପାଣ୍ଡେ- ୫/୫୬)।

Share